ଢାକା: ବାଂଲାଦେଶରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଚଟଗାଁ ସ୍ଥିତ ଭାରତୀୟ ସହକାରୀ ହାଇକମିଶନ କାର୍ଯ୍ୟାଳୟ ପରିସରରୁ ଜଣେ ଭାରତୀୟ ପ୍ରୋଟୋକଲ୍ ଅଫିସର ତଥା ସୁରକ୍ଷା ଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ପୋଲିସ ହାଇକମିଶନ ଅଫିସ୍ ଭିତରୁ ମୃତଦେହ ଜବତ କରିବା ପରେ ଏହାକୁ ବ୍ୟବଚ୍ଛେଦ ପାଇଁ ଚଟଗାଁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଛି। ତେବେ ଏହି ହଠାତ୍ ମୃତ୍ୟୁ ପଛର ପ୍ରକୃତ କାରଣ କଣ, ସେନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପୋଲିସ ଘଟଣାର ଗୁରୁତ୍ଵକୁ ଦୃଷ୍ଟିରେ ରଖି ଛାନ୍ଭିନ୍ ଜାରି ରଖିଛି।
କିଏ ଏହି ପ୍ରୋଟୋକଲ୍ ଅଫିସର ନରେନ୍ ଧର୍?
ମୃତ ଭାରତୀୟ ଅଧିକାରୀଙ୍କ ନାମ ନରେନ୍ ଧର୍ ବୋଲି ଜଣାପଡ଼ିଛି। ଚଟଗାଁ ସିଟି ପୋଲିସର ଆସିଷ୍ଟାଣ୍ଟ କମିଶନର ଅମିନୁର ରସିଦ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ନରେନ୍ ଧର୍ ଭାରତୀୟ ସହକାରୀ ହାଇକମିଶନରେ ପ୍ରୋଟୋକଲ୍ ଅଫିସର ଭାବେ କାର୍ଯ୍ୟରତ ଥିଲେ। କାର୍ଯ୍ୟାଳୟ ପକ୍ଷରୁ ସୂଚନା ପାଇବା ପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ସକାଳ ପ୍ରାୟ ୯ଟା ୩୦ରେ ତାଙ୍କ ଶବ ଉଦ୍ଧାର କରିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ସିଏମସି ହସ୍ପିଟାଲ ମାର୍ଗକୁ ପଠାଯାଇଛି।
ରହସ୍ୟ ଘେରରେ ମୃତ୍ୟୁର କାରଣ
ଭାରତୀୟ ହାଇକମିଶନ ଭଳି ଏକ ହାଇ-ସିକ୍ୟୁରିଟି ଜୋନ୍ ଭିତରେ ଜଣେ ଅଫିସରଙ୍କ ମୃତଦେହ ମିଳିବା ପରେ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇଉଠିଛି। ଏହା ଆତ୍ମହତ୍ୟା, ସ୍ଵାଭାବିକ ମୃତ୍ୟୁ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ। ବାଂଲାଦେଶ ପୋଲିସ ଭାରତୀୟ ଦୂତାବାସର ଅଧିକାରୀମାନଙ୍କ ସହ ସମନ୍ୱୟ ରଖି ମାମଲାର ପ୍ରତ୍ୟେକ ଦିଗର ଯାଞ୍ଚ କରୁଛି।
Also Read: ଟ୍ରମ୍ପଙ୍କ ବଡ଼ ଚେତାବନୀ, 'ଇରାନ ଉପରେ ପୁଣି ହୋଇପାରେ ଆକ୍ରମଣ', ଏପଟେ ୪୮ ଘଣ୍ଟାରେ ୬ଟି ଡ୍ରୋନକୁ ଖସାଇଲା UAE