ମୁମ୍ବାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅର୍ଥାତ୍ ଇଡି ଅଣ୍ଡରୱାର୍ଲ୍ଡ ଏବଂ ଡ୍ରଗ୍ସ ଚୋରା ଚାଲାଣ ସହ ଜଡ଼ିତ ଇକବାଲ୍ ମିର୍ଚ୍ଚି ଏବଂ ତାଙ୍କ ପରିବାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡିର ମୁମ୍ବାଇ ଜୋନାଲ ଅଫିସ୍ ପ୍ରାୟ ୭୦୦.୨୭ କୋଟି ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବେ ଆଟାଚ୍ କରିଛି। ଭଗୋଡ଼ା ଆର୍ଥିକ ଅପରାଧୀ ଆଇନ (FEOA), ୨୦୧୮ ଅଧୀନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ୨୦୧୩ ମସିହାରେ ଇକବାଲ୍ ମିର୍ଚ୍ଚିର ମୃତ୍ୟୁ ହୋଇସାରିଛି।
ଜବତ କରାଯାଇଥିବା ସମ୍ପତ୍ତି ମଧ୍ୟରେ ମୁମ୍ବାଇର ଓର୍ଲି ଅଞ୍ଚଳର ତିନୋଟି ବହୁମୂଲ୍ୟ ସମ୍ପତ୍ତି — ରାବିଆ ମେନସନ୍, ମରିୟମ୍ ଲଜ୍ ଏବଂ ସି ଭ୍ୟୁ — ସାମିଲ ରହିଛି। ଏଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୪୯୭ କୋଟି ଟଙ୍କା ବୋଲି କୁହାଯାଉଛି। ଏହା ବ୍ୟତୀତ ଦୁବାଇରେ ଥିବା ପ୍ରାୟ ୨୦୩.୨୭ କୋଟି ଟଙ୍କାର ସମ୍ପତ୍ତିକୁ ମଧ୍ୟ ଇଡି ଆଟାଚ୍ କରିଛି।
ମୁମ୍ବାଇ ପୋଲିସରେ ଦାଖଲ ହୋଇଥିବା କେତେକ ପୁରୁଣା ମାମଲା ଆଧାରରେ ଇଡି ଏହି ତଦନ୍ତ ଆରମ୍ଭ କରିଥିଲା। ଏଥିମଧ୍ୟରେ ଏମ୍ଆରଏ ମାର୍ଗ, ୟେଲୋଗେଟ୍, ଭାୟଖଲା ପୋଲିସ ଷ୍ଟେସନ, ଆଣ୍ଟି ନାର୍କୋଟିକ୍ସ ସେଲ୍ ଏବଂ ଡିସିବି-ସିଆଇଡି ଦ୍ୱାରା ରୁଜୁ ହୋଇଥିବା ମାମଲା ସାମିଲ ରହିଛି। ଏହିସବୁ ମାମଲାରେ ଇକବାଲ୍ ମିର୍ଚ୍ଚି ବିରୋଧରେ ଆଇପିସି, ଆର୍ମସ ଆକ୍ଟ, ଟାଡା (TADA) ଏବଂ ଏନଡିପିଏସ (NDPS) ଆକ୍ଟ ଅଧୀନରେ ଗମ୍ଭୀର ଅଭିଯୋଗ ଆସିଥିଲା।
ଇକବାଲ୍ ମିର୍ଚ୍ଚି ପରିବାରର ୭୦୦ କୋଟିର ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ
ତଦନ୍ତରୁ ଜଣାପଡ଼ିଛି ଯେ ଇକବାଲ୍ ମିର୍ଚ୍ଚି ଡ୍ରଗ୍ସ ଚୋରା ଚାଲାଣ, ଜବରଦସ୍ତି ଚାନ୍ଦା ଆଦାୟ (Ugaahi), ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ସଂଗଠିତ ଅପରାଧ ସହ ଜଡ଼ିତ କାର୍ଯ୍ୟକଳାପରେ ସାମିଲ ଥିଲା। ଏହିସବୁ ଅପରାଧରୁ ଆଦାୟ ହୋଇଥିବା କଳାଟଙ୍କାକୁ ଭାରତ ଏବଂ ବିଦେଶରେ ସମ୍ପତ୍ତି କିଣି ଧଳା କରାଯାଉଥିଲା (ମନି ଲଣ୍ଡରିଂ କରାଯାଉଥିଲା)। ପରିବାର ସଦସ୍ୟ, ନିକଟତର ସହଯୋଗୀ ଏବଂ ସେମାନଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକ ନାମରେ ଅନେକ ସମ୍ପତ୍ତି କିଣାଯାଇଥିଲା।
ଇଡି ଅନୁଯାୟୀ, ଓର୍ଲିର ଯେଉଁ ସମ୍ପତ୍ତିଗୁଡ଼ିକୁ ଆଟାଚ୍ କରାଯାଇଛି, ସେଗୁଡ଼ିକ ମୂଳତଃ 'ସର ମହମ୍ମଦ ୟୁସୁଫ୍ ଟ୍ରଷ୍ଟ'ର ଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ୧୯୮୬ ମସିହାରେ ଏଗୁଡ଼ିକୁ M/s Rockside Enterprises ମାଧ୍ୟମରେ ମାତ୍ର ୬.୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା। କାଗଜପତ୍ରରେ ସମ୍ପତ୍ତିଗୁଡ଼ିକ ଟ୍ରଷ୍ଟ ନାମରେ ରହିଥିଲା, କିନ୍ତୁ ଏହାର ପ୍ରକୃତ ନିୟନ୍ତ୍ରଣ ଇକବାଲ୍ ମିର୍ଚ୍ଚି ଏବଂ ତାଙ୍କ ପରିବାର ପାଖରେ ଥିଲା।
ଇଡି ଆହୁରି ମଧ୍ୟ ଦାବି କରିଛି ଯେ, ପୂର୍ବରୁ ହୋଇଥିବା ଜବତ ପ୍ରକ୍ରିୟାରୁ ଏହି ସମ୍ପତ୍ତିଗୁଡ଼ିକୁ ମୁକ୍ତ କରିବା ପାଇଁ ଟ୍ରଷ୍ଟ ଇକବାଲ୍ ମିର୍ଚ୍ଚି ସହ ମିଶି କୋର୍ଟଙ୍କ ସାମ୍ନାରେ ଭୁଲ୍ ତଥ୍ୟ ଉପସ୍ଥାପନ କରିଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଥିଲା।
ଇକବାଲ୍ ମିର୍ଚ୍ଚିର ବେଆଇନ କାରବାର ଓ ମନି ଲଣ୍ଡରିଂର ପର୍ଦ୍ଦାଫାଶ
ତଦନ୍ତରୁ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ ବେଆଇନ ଟଙ୍କାକୁ ଦୁବାଇରେ 'ହୋଟେଲ ମିଡୱେଷ୍ଟ ଆପାର୍ଟମେଣ୍ଟ' ଏବଂ କର୍ପୋରେଟ୍ ବେ ଓ DEC ଟାୱାର୍ସରେ ୧୪ଟି ରିୟଲ୍ ଏଷ୍ଟେଟ୍ ୟୁନିଟ୍ କିଣିବାରେ ବ୍ୟବହାର କରାଯାଇଥିଲା। ଏହି ସମ୍ପତ୍ତିଗୁଡ଼ିକ ଆସିଫ୍ ଇକବାଲ୍ ମେମନ୍ ଏବଂ ତାଙ୍କ ପରିବାର ନାମରେ ଥିବା ଜଣାପଡ଼ିଛି।
ଇଡି ଏହି ମାମଲାରେ ମୁମ୍ବାଇର ପିଏମଏଲଏ (PMLA) କୋର୍ଟରେ ଚାର୍ଜସିଟ୍ ଏବଂ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ମାମଲାରେ ଆସିଫ୍ ଇକବାଲ୍ ମେମନ୍ (Asif Iqbal Memon), ଜୁନୈଦ୍ ଇକବାଲ୍ ମେମନ୍ (Junaid Iqbal Memon) ଏବଂ ହାଜରା ଇକବାଲ୍ ମେମନ୍ (Hajra Iqbal Memon)ଙ୍କ ସମେତ ଅନେକ ଲୋକଙ୍କ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଅଣାଯାଇଛି।
ମୁମ୍ବାଇର ସ୍ପେଶାଲ ପିଏମଏଲଏ କୋର୍ଟ ୨୬ ଫେବ୍ରୁଆରୀ ୨୦୨୧ ରେ ଆସିଫ୍, ଜୁନୈଦ୍ ଏବଂ ହାଜରା ଇକବାଲ୍ ମେମନ୍ଙ୍କୁ ପଳାୟତ ଆର୍ଥିକ ଅପରାଧୀ ଘୋଷଣା କରିଥିଲେ। ବର୍ତ୍ତମାନ ଏହି ମାମଲାରେ ଇଡିର ଆଗାମୀ ତଦନ୍ତ ଜାରି ରହିଛି।