ପୁଣିଥରେ ବିବାଦର କେନ୍ଦ୍ରରେ ଇସ୍କନ। ଶ୍ରୀଜଗନ୍ନାଥ ସଂସ୍କୃତି ଓ ପାରମ୍ପରିକ ରୀତିନୀତିକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ, ଏବେ ଆମେରିକା ଓ ଦକ୍ଷିଣ ଆଫ୍ରିକାରେ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଶେଷ କରି ଆମେରିକାର ହ୍ୟୁଷ୍ଟନରେ ଖୋଲା କାର ଡାଲାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ରଖି ରଥଯାତ୍ରା କରାଯାଇଥିବା ଦୃଶ୍ୟ ଭକ୍ତମାନଙ୍କ ମନକୁ ଗଭୀର ଭାବେ ଆଘାତ ଦେଇଛି।
ପ୍ରବାସୀ ଓଡ଼ିଆ ଏବଂ ଜଗନ୍ନାଥ ପ୍ରେମୀମାନେ ଏହାକୁ “ମହାପ୍ରଭୁଙ୍କ ପ୍ରତି ମହା ଅପମାନ” ବୋଲି କହି ସୋସିଆଲ ମିଡିଆରେ କଡ଼ା ପ୍ରତିବାଦ କରୁଛନ୍ତି। ଶାସ୍ତ୍ରାନୁସାରେ ନିର୍ଦ୍ଧାରିତ ତିଥି ପୂର୍ବରୁ ରଥଯାତ୍ରା ଆୟୋଜନ କରାଯାଇଥିବାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ତଥାପି ଇସ୍କନ ପକ୍ଷରୁ ଏହାକୁ ନେଇ ଅଜବ ସଫେଇ ଦିଆଯାଇଥିବା ଜଣାପଡ଼ିଛି।
ଏପଟେ ଉତ୍ତର ପ୍ରଦେଶର ହାପୁର ଜିଲ୍ଲାରେ ମଧ୍ୟ ଜୁନ୍ ୧୪ରେ ଅଦିନିଆ ରଥଯାତ୍ରା ପାଳନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଦୃଢ଼ ଭାବେ ବିରୋଧ କରିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ହାପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ଏଭଳି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।
ଚିଠିରେ ସ୍ପଷ୍ଟ କରାଯାଇଛି ଯେ, ଚଳିତ ବର୍ଷ ଶ୍ରୀଜଗନ୍ନାଥଙ୍କ ନେତ୍ରୋତ୍ସବ ଜୁଲାଇ ୧୪ ଏବଂ ରଥଯାତ୍ରା ଜୁଲାଇ ୧୬ରେ ଶାସ୍ତ୍ରାନୁମୋଦିତ ବିଧିରେ ପାଳନ ହେବ। ଏହାର ବ୍ୟତୀକ୍ରମ ହେଲେ ଦେଶ-ବିଦେଶର କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାରେ ଆଘାତ ଲାଗିବ ବୋଲି ଉଲ୍ଲେଖ ହୋଇଛି।