ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶଗୁଡ଼ିକରେ ମାରାତ୍ମକ ‘ଇବୋଲା ଭାଇରସ୍’ (Ebola Virus)ର ସଂକ୍ରମଣ ବଢ଼ୁଥିବା ଦେଖି ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ଭାରତରେ ଇବୋଲାର କୌଣସି ମାମଲା ସାମ୍ନାକୁ ଆସିନାହିଁ ଏବଂ ଦେଶରେ ଏହାର ବିପଦ ବହୁତ କମ୍ ରହିଛି। ତେବେ ଏହା ସତ୍ତ୍ୱେ ଆଗୁଆ ସୁରକ୍ଷା ଦୃଷ୍ଟିରୁ ଦେଶର ସମସ୍ତ ପ୍ରମୁଖ ବିମାନବନ୍ଦର ଏବଂ ବନ୍ଦରଗୁଡ଼ିକରେ ନଜର ରଖାଯିବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ବାସ୍ତବରେ, କାଙ୍ଗୋ ଏବଂ ୟୁଗାଣ୍ଡାରେ ଇବୋଲା ଭାଇରସର ସାଂଘାତିକ ସ୍ଥିତିକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଏହାକୁ ପବ୍ଲିକ୍ ହେଲ୍ଥ ଇମରଜେନ୍ସି ବା ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହାପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, NCDC ଏବଂ ICMR ର ବରିଷ୍ଠ ଅଧିକାରୀ ଓ ବୈଜ୍ଞାନିକମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ବିମାନବନ୍ଦରରେ ହେବ ସ୍କ୍ରିନିଂ ଓ କ୍ୱାରେଣ୍ଟିନ୍
ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଦେଶରୁ, ବିଶେଷ କରି ଆଫ୍ରିକୀୟ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯିବ। ବିମାନବନ୍ଦର ଏବଂ ବନ୍ଦରଗୁଡ଼ିକରେ ଆଇସୋଲେସନ୍ ଓ କ୍ୱାରେଣ୍ଟିନ୍ ବ୍ୟବସ୍ଥାକୁ ପ୍ରସ୍ତୁତ ରଖିବା ପାଇଁ standard operating procedures (SOPs) ର ପୁନଃ ସମୀକ୍ଷା କରାଯାଇଛି। ଏହାସହ ପୁଣେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV) ଲ୍ୟାବ୍କୁ ମୁଖ୍ୟ ଟେଷ୍ଟିଂ ନୋଡାଲ କେନ୍ଦ୍ର ଭାବେ ପ୍ରସ୍ତୁତ ରଖାଯାଇଛି ଏବଂ ଆବଶ୍ୟକ ପଡ଼ିଲେ ଅନ୍ୟ ଲ୍ୟାବ୍ଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯିବ।
୧୦୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କା
ରିପୋର୍ଟ ମୁତାବକ, ଆଫ୍ରିକାରେ ଇବୋଲା ଭାଇରସର ‘ବୁଣ୍ଡିବୁଗ୍ୟୋ ଷ୍ଟ୍ରେନ୍’ (Bundibugyo Strain) ଯୋଗୁଁ ସଂକ୍ରମଣ ବ୍ୟାପୁଛି। କାଙ୍ଗୋରେ ଏହି ଆଉଟ୍ବ୍ରେକ୍ ଯୋଗୁଁ କିଛି ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ଲ୍ୟାବ୍ ଟେଷ୍ଟିଂରୁ ୮ଟି ମାମଲା ନିଶ୍ଚିତ ହୋଇଛି, ଯାହା ଏବେ ୟୁଗାଣ୍ଡାକୁ ମଧ୍ୟ ବ୍ୟାପିଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଶବାସୀଙ୍କୁ ଆଦୌ ନଡରିବାକୁ ଏବଂ କୌଣସି ପ୍ରକାରର ଗୁଜବ ଉପରେ ବିଶ୍ୱାସ ନକରିବାକୁ ଅପିଲ୍ କରିଛି। ଭାରତର ସ୍ୱାସ୍ଥ୍ୟ ଭେଟି ପ୍ରଶାସନ ଏଥିପାଇଁ ସମ୍ପୂର୍ଣ୍ଣ ସତର୍କ ଅଛି।