ଲାହୋର/ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ଐତିହାସିକ ସହର ଲାହୋରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସହରର ଅନେକ ପ୍ରମୁଖ ରାସ୍ତା, ଗଳି ଏବଂ ଛକଗୁଡ଼ିକର ନାମ ବଦଳାଇ ପୁଣି ଥରେ ସ୍ଵାଧୀନତା ଏବଂ ଦେଶ ବିଭାଜନ ପୂର୍ବର ପୁରୁଣା ନାମକୁ ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସୋମବାର ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଲାହୋରର ସାଂସ୍କୃତିକ ଐତିହ୍ୟ ଏବଂ ପୁରୁଣା ପରିଚୟକୁ ପୁନରୁଦ୍ଧାର କରିବା ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ।
ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦଶନ୍ଧି ମଧ୍ୟରେ ଲାହୋରର ଅନେକ ଐତିହାସିକ ରାସ୍ତାର ବ୍ରିଟିଶ କାଳୀନ ଏବଂ ହିନ୍ଦୁ-ସିଖ୍ ଧର୍ମ ସହ ଜଡ଼ିତ ନାମଗୁଡ଼ିକୁ ବଦଳାଇ ସ୍ଥାନୀୟ ବା ଇସଲାମୀୟ ନାମକରଣ କରାଯାଇଥିଲା। କିନ୍ତୁ ଭାରତ-ପାକିସ୍ତାନ ବିଭାଜନର ପ୍ରାୟ ୭୯ ବର୍ଷ ପରେ ଏବେ ସେହି ସବୁ ସ୍ଥାନର ସାଇନବୋର୍ଡକୁ ପୁଣି ଥରେ ପୁରୁଣା ନାମରେ ବଦଳାଯାଉଛି।
୨ ମାସରେ ୯ଟି ସ୍ଥାନର ନାମ ବଦଳିଲା
ନୂତନ ନିଷ୍ପତ୍ତି ଅନୁଯାୟୀ, ଲାହୋରର ପ୍ରସିଦ୍ଧ ‘ଇସଲାମପୁରା’ ଅଞ୍ଚଳର ନାମ ବଦଳାଇ ପୁଣି ଥରେ ‘କୃଷ୍ଣ ନଗର’ କରାଯାଇଛି। ସେହିପରି ‘ବାବ୍ରୀ ମସଜିଦ ଛକ’ର ନାମ ପରିବର୍ତ୍ତନ କରାଯାଇ ‘ଜୈନ ମନ୍ଦିର ଛକ’ କରାଯାଇଛି। ଗତ ଦୁଇ ମାସ ମଧ୍ୟରେ ଏଭଳି ପ୍ରାୟ ୯ଟି ପ୍ରମୁଖ ସ୍ଥାନର ପୁରୁଣା ନାମକୁ ପ୍ରଶାସନ ପକ୍ଷରୁ ପରିବର୍ତ୍ତନ କରାଯାଇଛି।
ପଞ୍ବାର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନିକଟରେ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଏହି 'ଲାହୋର ହେରିଟେଜ୍ ଜୋନ୍ ରିଭାଇଭାଲ୍ ପ୍ରୋଜେକ୍ଟ'ର ନେତୃତ୍ୱ ନେଉଛନ୍ତି।
ମିଣ୍ଟୋ ପାର୍କ, ଲାଲା ଅମରନାଥ ଓ ଗାମା ପେହଲବାନଙ୍କ ସହ ଜଡ଼ିତ ସ୍ମୃତି
ନୱାଜ ଶରିଫ ଐତିହାସିକ ମିଣ୍ଟୋ ପାର୍କ (ଗ୍ରେଟର ଇକବାଲ ପାର୍କ)ରେ ଥିବା ତିନୋଟି କ୍ରିକେଟ୍ ପଡ଼ିଆ ଏବଂ ଏକ ପାରମ୍ପରିକ କୁସ୍ତି ଅଖାଡ଼ାର ଜୀର୍ଣ୍ଣୋଦ୍ଧାର ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏହାକୁ ପୂର୍ବରୁ ହୋଇଥିବା କ୍ଷତିର ଭରଣା ରୂପେ ଦେଖାଯାଉଛି। ବାସ୍ତବରେ, ୨୦୧୫ ମସିହାରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ (ତତ୍କାଳୀନ ପଞ୍ଜାବ ମୁଖ୍ୟମନ୍ତ୍ରୀ) ନଗର ଉନ୍ନୟନ ଯୋଜନାରେ ଏହି ସବୁ ପୁରୁଣା କ୍ରିକେଟ୍ କ୍ଲବ ଏବଂ କୁସ୍ତି ଅଖାଡ଼ାକୁ ଭାଙ୍ଗି ଦେଇଥିଲେ, ଯାହାକୁ ନେଇ ସେତେବେଳେ ପ୍ରବଳ ସମାଲୋଚନା ହୋଇଥିଲା।