ଧର୍ମଶାଳା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL 2026) ର ୬୧ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ରୋମାଞ୍ଚକର ବିଜୟ ହାସଲ କରିଛି। ଏକ ହାଇ-ସ୍କୋରିଂ ମ୍ୟାଚ୍ରେ ବେଙ୍ଗାଲୁରୁ ୨୩ ରନ୍ରେ ପଞ୍ଜାବ କିଙ୍ଗସ (PBKS) କୁ ପରାସ୍ତ କରି ଚଳିତ ସିଜିନ୍ର ୯ମ ବିଜୟ ସହ ପ୍ରଥମ ଦଳ ଭାବେ ପ୍ଲେ-ଅଫ୍ ଟିକେଟ୍ ପକ୍କା କରିଛି। ଅନ୍ୟପଟେ ଲଗାତାର ଷଷ୍ଠ ପରାଜୟ ସହ ପଞ୍ଜାବର ପ୍ଲେ-ଅଫ୍ ଆଶା ଏବେ ପ୍ରାୟତଃ ମଉଳି ଯାଇଛି।
ପଏଣ୍ଟ ଟେବୁଲ ଟପ୍ରେ ବେଙ୍ଗାଲୁରୁ, ପଞ୍ଜାବକୁ ବଡ଼ ଝଟ୍କା
ଏହି ବିଜୟ ସହ ଆରସିବି ୧୩ଟି ମ୍ୟାଚ୍ରୁ ୧୮ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି। ସେହିପରି ପଞ୍ଜାବ ୧୩ଟି ମ୍ୟାଚ୍ରୁ ୧୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ପଞ୍ଜାବର ଏହି ପରାଜୟ ଫଳରେ ଚେନ୍ନାଇ ସୁପର କିଙ୍ଗସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ଭଳି ଦଳଗୁଡ଼ିକୁ ପ୍ଲେ-ଅଫ୍ ଦୌଡ଼ରେ ବଡ଼ ଫାଇଦା ମିଳିଛି।
ଭୁବନେଶ୍ୱରଙ୍କ ଘାତକ ବୋଲିଂ: ବିପର୍ଯ୍ୟୟର ସମ୍ମୁଖୀନ ହେଲା ପଞ୍ଜାବ
ଆରସିବି ପକ୍ଷରୁ ଧାର୍ଯ୍ୟ ୨୨୩ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ କିଙ୍ଗସର ଆରମ୍ଭ ଅତି ନିରାଶାଜନକ ରହିଥିଲା। ଦଳୀୟ ସ୍କୋର ମାତ୍ର ୧୯ ରନ୍ ହୋଇଥିବା ବେଳେ ୩ଟି ପ୍ରମୁଖ ୱିକେଟ୍ ପତିତ ହୋଇଥିଲା। ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ପ୍ରଥମେ ଓପନର ପ୍ରିୟାଂଶ ଆର୍ଯ୍ୟ (୦) ଏବଂ ପରେ ପ୍ରଭସିମରନ ସିଂ (୨)ଙ୍କୁ ଆଉଟ୍ କରି ପଞ୍ଜାବର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଏହାପରେ ଅଧିନାୟକ ଶ୍ରେୟସ ଅୟର (୧) ମଧ୍ୟ ରସିଖ ଦାର ସଲାମଙ୍କ ବଲ୍ରେ ଆଉଟ୍ ହୋଇ ପେଭିଲିୟନ ଫେରିଥିଲେ।
ଶଶାଙ୍କ ସଂଘର୍ଷପୂର୍ଣ୍ଣ ଅର୍ଦ୍ଧଶତକ
ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ମଧ୍ୟକ୍ରମ ବ୍ୟାଟର କୁପର କୋନୋଲି (୩୭) ଏବଂ ସୂର୍ଯ୍ୟାଂଶ ସେଡଗେ (୩୫) ଦଳକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାର୍କସ ଷ୍ଟୋଇନିସ ମଧ୍ୟ ୩୭ ରନ୍ର ପାଳି ଖେଳିଥିଲେ, କିନ୍ତୁ ଆବଶ୍ୟକ ରନ୍ ରେଟ୍ ଅନୁଯାୟୀ କେହି ବ୍ୟାଟିଂ କରିପାରିନଥିଲେ।
ପଞ୍ଜାବ ପାଇଁ ଶଶାଙ୍କ ସିଂ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖି ୨୭ ବଲ୍ରୁ ୪ଟି ଚୌକା ଓ ୪ଟି ଛକା ସହାୟତାରେ ୫୬ ରନ୍ର ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ଅଜମତୁଲ୍ଲା ଓମରଜାଇ ୧୪ ରନ୍ କରି ଅପରାଜିତ ରହିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ଯୋଗୁଁ ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ କେବଳ ୧୯୯ ରନ୍ କରିବାକୁ ସକ୍ଷମ ହୋଇଥିଲା। ଆରସିବି ପକ୍ଷରୁ ରସିଖ ଦାର ସଲାମ ୩ଟି ଏବଂ ଭୁବନେଶ୍ୱର କୁମାର ୨ଟି ୱିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।