ରାୟପୁର: ଆଇପିଏଲ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)। ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ଆଗରେ ଆତ୍ମସମର୍ପଣ କରିଛି କୋଲକାତା ନାଇଟ୍ ରାଇଡର୍ସ (KKR)। ରାୟପୁରର ଶହୀଦ ବୀର ସିଂ ନାରାୟଣ ସିଂ ଷ୍ଟାଡିୟମରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ବେଙ୍ଗାଲୁରୁ ୭ ୱିକେଟରେ ବିଜୟୀ ହୋଇଛି।
RCB ଲକ୍ଷ୍ୟର ପିଛା କରି ୧୯.୧ ଓଭରରେ ୪ଟି ୱିକେଟ୍ ହରାଇ ବିଜୟ ହାସଲ କରିଥିଲା। ତେବେ RCBର ଆରମ୍ଭ ଭଲ ରହିନଥିଲା, ଜ୍ୟାକବ୍ ବେଥେଲ୍ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏହାପରେ ବିରାଟ କୋହଲି ଏବଂ ଦେବଦତ୍ତ ପାଡିକ୍କଲ୍ ଦ୍ୱିତୀୟ ୱିକେଟ୍ ପାଇଁ ଏକ ଶାନଦାର୍ ଭାଗୀଦାରି କରିଥିଲେ। ପାଡିକ୍କଲ୍ ୩୯ ରନ୍ କରିଥିବାବେଳେ ରଜତ ପାଟିଦାର ୧୧ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ କୋହଲି ଗୋଟିଏ ପଟୁ ପାଳିକୁ ସମ୍ଭାଳି ରଖିଥିଲେ ଏବଂ ୬୦ ବଲ୍ରେ ଅପରାଜିତ ୧୦୫ ରନ୍ ସଂଗ୍ରହ କରିଥିଲେ। ଏହି କ୍ରମରେ ବିରାଟ ୫୮ ବଲ୍ରେ ନିଜର ଶତକ ପୂରଣ କରିଥିଲେ।
ବିରାଟଙ୍କ ଐତିହାସିକ ଶତକ
ଏହି ମ୍ୟାଚର ପ୍ରକୃତ ହିରୋ ସାଜିଥିଲେ 'କିଙ୍ଗ' କୋହଲି। ମାତ୍ର ୫୮ ବଲର ସାମ୍ନା କରି ସେ ନିଜର ଶତକ ପୂରଣ କରିଥିଲେ। କୋହଲିଙ୍କ ୧୦୫ ରନର ଏହି ଅପରାଜିତ ପାରିରେ ୧୦ଟି ଚୌକା ଓ ୩ଟି ଆକର୍ଷଣୀୟ ଛକା ସାମିଲ ଥିଲା। ଏହି ଶତକ ସହ ବିରାଟ ଟି-୨୦ କ୍ରିକେଟରେ ୧୦ଟି ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି।
ନିଜ ରେକର୍ଡ ନିଜେ ଭାଙ୍ଗିଲା RCB
ରାୟପୁର ମୈଦାନରେ ଏହା ଆଇପିଏଲ୍ ଇତିହାସର ସବୁଠାରୁ ବଡ଼ ରନ୍ ଚେଜ୍। କୋଲକାତା ଦେଇଥିବା ୧୯୩ ରନର ଲକ୍ଷ୍ୟକୁ RCB ଅତି ସହଜରେ ହାସଲ କରି ନେଇଥିଲା। ବିଶେଷ କଥା ହେଉଛି, ପୂର୍ବରୁ ମଧ୍ୟ ଏହି ମୈଦାନରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୧୬୭ ରନ୍ ଚେଜ୍ କରିବାର ରେକର୍ଡ RCB ନାମରେ ଥିଲା, ଯାହାକୁ ଆଜି ଦଳ ଅତିକ୍ରମ କରିଛି।
KKR ୧୯୨ ରନ୍
କେକେଆର ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୯୨ ରନ୍ କରିଥିଲା। ଅଙ୍ଗକ୍ରିଶ ରଘୁବଂଶୀ ୪୬ ବଲ୍ରେ ୭୧ ରନ୍ର ଚମତ୍କାର ଇନିଂସ ଖେଳିଥିଲେ। ରିଙ୍କୁ ସିଂହ ୨୯ ବଲ୍ରେ ୪୯ ରନ୍ କରି ଅପରାଜିତ ରହିଥିଲେ। କାମେରନ୍ ଗ୍ରୀନ୍ ମଧ୍ୟ ୩୨ ରନ୍ କରିଥିଲେ। ପୂର୍ବରୁ ଅଜିଙ୍କ୍ୟ ରାହାଣେ ୧୯ ରନ୍ ଏବଂ ଫିନ୍ ଆଲେନ୍ ୧୮ ରନ୍ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। RCB ପକ୍ଷରୁ ଭୁବନେଶ୍ୱର କୁମାର, ଜୋଶ୍ ହାଜେଲଉଡ୍ ଏବଂ ରସିଖ ସଲାମ୍ ପ୍ରତ୍ୟେକ ଗୋଟିଏ ୱିକେଟ୍ ନେଇଥିଲେ।
ପଏଣ୍ଟ ଟେବୁଲ୍ ସ୍ଥିତି
ଏହି ବିଜୟ ସହ RCB ୧୬ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନ ଦଖଲ କରିଛି। ତେବେ ଏବେ ସୁଦ୍ଧା ଦଳ ପ୍ଲେ-ଅଫ୍ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇନାହିଁ। ଅନ୍ୟପଟେ, ପରାଜୟ ସତ୍ତ୍ୱେ କୋଲକାତା ଏବେ ବି ଦୌଡ଼ରେ ବଜାୟ ରହିଛି। KKR ଯଦି ତା’ର ଆଗାମୀ ତିନୋଟି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତେବେ ୧୫ ପଏଣ୍ଟ ସହ ପ୍ଲେ-ଅଫରେ ପହଞ୍ଚିବାର ସୁଯୋଗ ରହିଛି।
ଟି-୨୦ରେ ସର୍ବାଧିକ ଶତକ ହାସଲ କରିଥିବା ଭାରତୀୟ:
ବିରାଟ କୋହଲି: ୧୦ ଶତକ
ଅଭିଷେକ ଶର୍ମା: ୯ ଶତକ
କେ.ଏଲ୍. ରାହୁଲ: ୮ ଶତକ
ସଞ୍ଜୁ ସାମସନ: ୮ ଶତକ
ରୋହିତ ଶର୍ମା: ୮ ଶତକ