ବେଙ୍ଗାଲୁରୁ: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ବହୁ ଚର୍ଚ୍ଚିତ ହିଜାବ୍ ବିବାଦରେ ଏକ ବଡ଼ ମୋଡ଼ ଆସିଛି। ସ୍କୁଲ ଓ କଲେଜରେ ଡ୍ରେସ କୋଡ୍କୁ ନେଇ ପୂର୍ବତନ ବିଜେପି ସରକାର ୨୦୨୨ରେ ଜାରି କରିଥିବା ପ୍ରତିବନ୍ଧକକୁ ବର୍ତ୍ତମାନର କଂଗ୍ରେସ ସରକାର ପ୍ରତ୍ୟାହାର କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଏଣିକି ସ୍କୁଲ ୟୁନିଫର୍ମ ସହ ନିଜର ଧାର୍ମିକ ପ୍ରତୀକ ବ୍ୟବହାର କରିପାରିବେ।
ୟୁନିଫର୍ମ ସହ ପିନ୍ଧିପାରିବେ ହିଜାବ୍ ଓ ପଗଡ଼ି
ସରକାରଙ୍କ ନୂଆ ନିୟମ ଅନୁସାରେ, ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ବାଧ୍ୟତାମୂଳକ ରହିବ, କିନ୍ତୁ ଏହା ସହିତ ଛାତ୍ରଛାତ୍ରୀମାନେ ହିଜାବ୍, ପଗଡ଼ି (ପେଟା), ପଇତା, ଶିବଧାରା ଏବଂ ରୁଦ୍ରାକ୍ଷ ଭଳି ଧାର୍ମିକ ତଥା ପାରମ୍ପରିକ ପ୍ରତୀକ ପିନ୍ଧିବାକୁ ଅନୁମତି ପାଇବେ। ତେବେ ସର୍ତ୍ତ ରହିଛି ଯେ, ଏହି ପ୍ରତୀକଗୁଡ଼ିକ ୟୁନିଫର୍ମର ମୂଳ ରୂପକୁ ପ୍ରଭାବିତ କରିବ ନାହିଁ।
ଶିକ୍ଷାରୁ ବଞ୍ଚିତ ହେବେନି ଛାତ୍ରଛାତ୍ରୀ
ସରକାର ସ୍ପଷ୍ଟ କରିଛନ୍ତି ଯେ, କେବଳ ଧାର୍ମିକ ପ୍ରତୀକ ପିନ୍ଧିଥିବା କାରଣରୁ କୌଣସି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ କିମ୍ବା ପରୀକ୍ଷା ହଲ୍ରେ ପ୍ରବେଶ କରିବାରୁ ରୋକାଯାଇ ପାରିବ ନାହିଁ। ସେହିପରି କାହାକୁ ଏହା ପିନ୍ଧିବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ କିମ୍ବା ଜୋରଜବରଦସ୍ତି କାଢ଼ିବାକୁ ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ।
ଆଦେଶରେ କ’ଣ କୁହାଯାଇଛି?
କର୍ଣ୍ଣାଟକ ସରକାରଙ୍କ ଆଦେଶରେ ଉଲ୍ଲେଖ କରାଯାଇଛି ଯେ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଶୃଙ୍ଖଳା ରକ୍ଷା କରିବା ସହ ଧର୍ମନିରପେକ୍ଷ ଏବଂ ସମାବେଶୀ ପରିବେଶ ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏଥିରେ ମହାନ ସନ୍ଥ ବସବନ୍ନାଙ୍କ ‘ଇଭାନମ୍ମଭା’ (ସେ ଆମର ନିଜର) ସିଦ୍ଧାନ୍ତକୁ ଆଧାର କରି କୁହାଯାଇଛି ଯେ, ଶିକ୍ଷାରୁ କୌଣସି ଛାତ୍ରଛାତ୍ରୀ ବଞ୍ଚିତ ହେବା ଉଚିତ୍ ନୁହେଁ।
ତୁରନ୍ତ ଲାଗୁ ହେବ ନିୟମ
ଏହି ନୂତନ ନିୟମ ତୁରନ୍ତ ସାରା ରାଜ୍ୟରେ ଲାଗୁ ହେବ। ଏହାଫଳରେ ପୂର୍ବରୁ ଥିବା ସମସ୍ତ ସ୍ଥାନୀୟ ଏବଂ ପୁରୁଣା ଆଦେଶ ରଦ୍ଦ ହୋଇଯାଇଛି। ତେବେ ଜାତୀୟ ବା ରାଜ୍ୟ ସ୍ତରୀୟ ପରୀକ୍ଷା ସମୟରେ ଲାଗୁ ହେଉଥିବା ସ୍ୱତନ୍ତ୍ର ଡ୍ରେସ କୋଡ୍ ପୂର୍ବଭଳି ରହିପାରେ ବୋଲି ସୂଚନା ଦିଆଯାଇଛି।