ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୯୮୬ ବ୍ୟାଚ୍ର କର୍ଣ୍ଣାଟକ କ୍ୟାଡରର ଏହି ଆଇପିଏସ୍ ଅଧିକାରୀ ଏବେ ୧୩ ମଇ ୨୦୨୭ ପର୍ଯ୍ୟନ୍ତ ସିବିଆଇର ଦାୟିତ୍ଵ ସମ୍ଭାଳିବେ।
ପ୍ରବୀଣ ସୁଦ ୨୫ ମଇ ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ତାଙ୍କର ଦକ୍ଷତା ଏବଂ ଏଜେନ୍ସିରେ ଚାଲିଥିବା ଅନେକ ହାଇ-ପ୍ରୋଫାଇଲ୍ ମାମଲାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ଦ୍ଵିତୀୟ ଥର ପାଇଁ ଏକ୍ସଟେନସନ୍ ଦେଇଛନ୍ତି। ପୂର୍ବରୁ ୨୪ ମଇ ୨୦୨୫ରେ ମଧ୍ୟ ତାଙ୍କ କାର୍ଯ୍ୟକାଳକୁ ବର୍ଷେ ପାଇଁ ବଢ଼ାଯାଇଥିଲା।
ସୁଦଙ୍କ ନେତୃତ୍ୱରେ ସିବିଆଇର ସଫଳତା
ପ୍ରବୀଣ ସୁଦଙ୍କୁ ଜଣେ ଶୃଙ୍ଖଳିତ ଏବଂ ଟେକ୍ନୋଲୋଜି-ଡ୍ରିଭେନ୍ ପୋଲିସ ଅଧିକାରୀ ଭାବେ ଜଣାଶୁଣା। ସିବିଆଇ ମୁଖ୍ୟ ଭାବେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛନ୍ତି।ଦୁର୍ନୀତି ବିରୋଧୀ ଅଭିଯାନରେ ବଡ଼ ଧରଣର ଆର୍ଥିକ ଦୁର୍ନୀତି ଏବଂ ସରକାରୀ ସ୍ତରରେ ଚାଲିଥିବା ଭ୍ରଷ୍ଟାଚାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ। ପେପର ଲିକ୍ ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ସଂଗଠିତ ପରୀକ୍ଷା ପେପର ଲିକ୍ ନେଟୱର୍କର ପର୍ଦ୍ଦାଫାଶ କରିଛନ୍ତି। ସାଇବର କ୍ରାଇମ୍ ଏବଂ ଆନ୍ତଃରାଜ୍ୟ ଅପରାଧୀ ଗୋଷ୍ଠୀଙ୍କ ବିରୋଧରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରିଛନ୍ତି।
ଭରସା କଲେ ସରକାର
ସିବିଆଇ ନିର୍ଦ୍ଦେଶକ ହେବା ପୂର୍ବରୁ ପ୍ରବୀଣ ସୁଦ କର୍ଣ୍ଣାଟକର ଡିଜିପି (DGP) ଭାବେ କାର୍ଯ୍ୟ କରିଥିଲେ। ସୂତ୍ର ଅନୁଯାୟୀ, ଦେଶର ଅନେକ ଜଟିଳ ଏବଂ ସମ୍ବେଦନଶୀଳ ମାମଲା ବର୍ତ୍ତମାନ ତଦନ୍ତର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ରହିଛି। ଏହି ସମୟରେ ନିର୍ଦ୍ଦେଶକ ବଦଳିଲେ ତଦନ୍ତରେ ବାଧା ଉପୁଜିବାର ଆଶଙ୍କା ଥିବାରୁ ସରକାର ତାଙ୍କ ଅଭିଜ୍ଞତା ଉପରେ ପୁନର୍ବାର ଭରସା ଜାରି କରିଛନ୍ତି। ଆଗାମୀ ବର୍ଷରେ ସିବିଆଇ ଅଧିକ ଆକ୍ରମଣାତ୍ମକ ରଣନୀତି ସହ ଜାତୀୟ ଗୁରୁତ୍ୱ ବହନ କରୁଥିବା ମାମଲାଗୁଡ଼ିକର ସମାଧାନ କରିବ ବୋଲି ଏଜେନ୍ସି ପକ୍ଷରୁ ସୂଚନା ମିଳିଛି।