ଧର୍ମଶାଳା: ଆଇପିଏଲ୍ ୨୦୨୬ର ଏକ ରୋମାଞ୍ଚକର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୩ ଓ୍ବିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି। ୨୧୧ ରନର ବିଶାଳ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ମାତ୍ର ୧୯ ଓଭରରେ ବିଜୟ ହାସଲ କରି ସମସ୍ତଙ୍କୁ ଚକିତ କରିଦେଇଛି। ଏହି ବିଜୟ ସହ ଦିଲ୍ଲୀ ନିଜର ପ୍ଲେ-ଅଫ୍ ଆଶାକୁ ଉଜ୍ଜୀବିତ ରଖିଥିବାବେଳେ ପଞ୍ଜାବ କ୍ରମାଗତ ଚତୁର୍ଥ ପରାଜୟ ସହ ଶକ୍ତ ଧକ୍କା ଖାଇଛି।
ଅକ୍ଷର ଓ ମିଲରଙ୍କ 'ପାଓ୍ବାର' ଶୋ'
ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀର ଆରମ୍ଭ ବହୁତ ଖରାପ ରହିଥିଲା। ମାତ୍ର ୪୭ ରନରେ ଦଳ ୩ଟି ଗୁରୁତ୍ୱପୂର୍ଣ୍ଣ ଓ୍ବିକେଟ ହରାଇ ସଙ୍କଟରେ ପଡ଼ିଥିଲା। କେଏଲ ରାହୁଲ (୯) ଏବଂ ଅଭିଷେକ ପୋରେଲ (୫) ଶୀଘ୍ର ଆଉଟ ହୋଇଯାଇଥିଲେ। କିନ୍ତୁ ଅଧିନାୟକ ଅକ୍ଷର ପଟେଲ ଏବଂ କିଲର ଡେଭିଡ ମିଲର ପଡ଼ିଆ ମଧ୍ୟରେ ଝଡ଼ ସୃଷ୍ଟି କରିଥିଲେ।ଅକ୍ଷର ପଟେଲ ମାତ୍ର ୩୦ ବଲରେ ୫୬ ରନର ଅଧିନାୟକୀୟ ପାଳି ଖେଳିଥିଲେ। ଡେଭିଡ ମିଲର ୨୮ ବଲରେ ୫୧ ରନ କରି ଦଳକୁ ବିଜୟର ନିକଟତର କରାଇଥିଲେ।
ଶେଷ ମୁହୂର୍ତ୍ତରେ ଆଶୁତୋଷ ଓ ମାଧବଙ୍କ କମାଲ
ମିଲର ଏବଂ ଅକ୍ଷର ଆଉଟ ହେବା ପରେ ମ୍ୟାଚ ପୁଣି ପଞ୍ଜାବ ହାତକୁ ଯାଇଥିବା ମନେ ହେଉଥିଲା। କିନ୍ତୁ ଆଶୁତୋଷ ଶର୍ମା ମାତ୍ର ୧୦ ବଲରେ ୨୪ ରନ କରି ପଞ୍ଜାବ ବୋଲରଙ୍କ ଲାଇନ ଲେନ୍ଥ ବିଗାଡ଼ି ଦେଇଥିଲେ। ଶେଷରେ ମାଧବ ତିୱାରୀ (୧୮*) ଏବଂ ଆକିବ ନବୀ (୧୦*) ଅପରାଜିତ ରହି ୧ ଓଭର ବାକି ଥାଇ ଦଳକୁ ଜିତାଇ ଦେଇଥିଲେ।
ପଞ୍ଜାବର ବ୍ୟାଟିଂ
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ଧାର୍ଯ୍ୟ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୧୦ ରନ କରିଥିଲା। ପଞ୍ଜାବ ପକ୍ଷରୁ ଅଧିନାୟକ ଶ୍ରେୟସ ଆୟର ୫୯ ରନ ଏବଂ ପ୍ରିୟାଂଶ ଆର୍ଯ୍ୟ ୫୬ ରନର ଦମଦାର ପାଳି ଖେଳିଥିଲେ। ପ୍ରଭସିମରନ ସିଂ ମଧ୍ୟ ଆରମ୍ଭରୁ ଦ୍ରୁତ ରନ ସଂଗ୍ରହ କରିଥିଲେ। ହେଲେ ଦିଲ୍ଲୀର ବୋଲର ମାଧବ ତିୱାରୀ ଗୁରୁତ୍ୱପୂର୍ଣ୍ଣ ସମୟରେ ଓ୍ବିକେଟ ନେଇ ପଞ୍ଜାବର ରନ ଗତିକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିଥିଲେ।