ଚଳିତ ଆଇପିଏଲ ସିଜିନରେ ପୂର୍ବ ସିଜିନ ଅପେକ୍ଷା ଅଧିକ ଶତକ ଦେଖିବାକୁ ମିଳିଛି । ଚଳିତ ସିଜିନ ଶେଷ ହେବା ପାଇଁ ଆହୁରି ଦୁଇ ସପ୍ତାହରୁ ଅଧିକ ସମୟ ରହିଛି, ଯାହା ଭିତରେ ଲିଗ୍ ପର୍ଯ୍ୟାୟ ଓ ପ୍ଲେଅଫ ମଧ୍ୟ ରହିଛି । ଚଳିତ ଲିଗ୍ ଶେଷ ହେବା ପୂର୍ବରୁ ଆହୁରି କିଛି ଶତକ ଦେଖିବାକୁ ମିଳିପାରେ । ବ୍ୟଟ୍ସମ୍ୟାନଙ୍କ ଦ୍ୱାରା ଏଭଳି ଇନିଂସ, ଗ୍ରାଉଣ୍ଡରେ କାମ କରୁଥିବା କ୍ୟୁରେଟରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ପିଚ୍ ପାଇଁ ସମ୍ଭବ ହେଉଛି ।
ଘରୋଇ ଟିମର ଶକ୍ତି ଅନୁସାରେ ପିଚ୍ ପ୍ରସ୍ତୁତ ହେଉନଥିବାରୁ ଚୌକା ଓ ଛକାର ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ତେବେ ଅଧିକ ଚୌକାରେ କୌଣସି ଅସୁବିଧା ନାହିଁ, କିନ୍ତୁ ବାଉଣ୍ଡ୍ରି କୁସନକୁ ପଛରେ ରଖିବା ପରିବର୍ତ୍ତେ ଆଗକୁ ଅଣାଯାଉଛି ଯାହାଫଳରେ ଯେଉଁ ସର୍ଟ ଗୁଡିକ କ୍ୟାଚ ହେବା କଥା ତାହା ଛକା ହେଉଛି । ଅନେକ ମୈଦାନ ପୂର୍ବରୁ ଛୋଟ ଥିବାବେଳେ ବାଉଣ୍ଡ୍ରି କୁସନ ଆଗକୁ ନେବା ଫଳରେ ଛକା ମାରିବା ସହଜ ହୋଇପଡୁଛି ।
ଦର୍ଶକ ମୈଦାନକୁ ବଡ ସ୍କୋର ଦେଖିବାକୁ ଆସୁଛନ୍ତି, କିନ୍ତୁ ମ୍ୟାଚରେ ମଜା ସେତେବେଳେ ଆସେ ଯେତେବେଳେ ମ୍ୟାଚ ଶେଷ ଓଭର ପର୍ଯ୍ୟନ୍ତ ଯାଏ । କିନ୍ତୁ ବର୍ତ୍ତମାନ ମ୍ୟାଚର ନିର୍ଣ୍ଣୟ ୧୫ ଓଭର ସୁଦ୍ଧା ଜଣାପଡିଯାଉଛି । ଯାହାଫଳରେ ମ୍ୟାଚରେ ପୂର୍ବଭଳି ରୋମାଞ୍ଚ ବଞ୍ଚୁନାହିଁ । ମ୍ୟାଚରେ ବାଉଣ୍ଡ୍ରି ସୀମାରେଖା ଛୋଟ କରାଯିବା ଓ ବ୍ୟାଟିଂ ଅନୁକୂଳ ପିଚ୍ ପ୍ରସ୍ତୁତ କରାଯିବା ଫଳରେ ମ୍ୟାଚର ମଜା ଧୀରେ ଧୀରେ ଶେଷ ହୋଇପାରେ ବୋଲି ଅନେକ ବିଶେଷଜ୍ଞ ମତ ରଖୁଛନ୍ତି । ସ୍ପନସର ଓ ବିଜ୍ଞାପନ ଦେଉଥିବା କମ୍ପାନୀ ହାଇ-ସ୍କୋରିଂ ପିଚ୍ କୁ ଗୁରୁତ୍ୱ ଦେଉଥିବାରୁ ଅନେକ ଷ୍ଟାଡିୟମରେ ପୂର୍ବରୁ କମ ରନ ହେଉଥିବାବେଳେ ବର୍ତ୍ତମାନ ଅଧିକ ରନ ହେଉଛି । ତେଣୁ ବିସିସିଆଇ ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅନେକ କ୍ରୀଡା ବିଶେଷଜ୍ଞ ମତ ରଖିଛନ୍ତି ।