ଆଇପିଏଲ ୨୦୨୬ ର ୫୨ ତମ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ନିଜ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି । ଶନିବାର ଗୁଜୁରାଟ ବିପକ୍ଷ ମ୍ୟାଚରେ ୧୫ ବର୍ଷୀୟ ବୈଭବ ୧୬ ବଲରେ ୩୬ ରନ ସଂଗ୍ରହ କରିଛନ୍ତି । ମହମ୍ମଦ ଶିରାଜ ଓ କାଗିସୋ ରବାଡାଙ୍କ ଓଭରରେ ଚୌକା ଓ ଛକାର ବର୍ଷା କରିଥିଲେ ବୈଭବ । ଏହା ପରେ ଗୁଜୁରାଟର କୋଚ ଆଶିଷ ନେହେରା ବାହାରୁ କିଛି ଏଭଳି ରଣନୀତି ପ୍ରସ୍ତୁତ କଲେ ଯାହାଫଳରେ ବୈଭବଙ୍କୁ ନିଜ ୱିକେଟ୍ ହରାଇ ପ୍ୟାଭିଲିଅନ ଫେରିବାକୁ ପଡିଲା । ପଡିଆ ବାହାରେ ଥିବା ଆଶିଷ ନେହେରା ଆଖିରେ ମହମ୍ମଦ ଶିରାଜଙ୍କୁ କିଛି ସ୍ପଷ୍ଟ ରଣନୀତିର ଇଙ୍ଗିତ କରିଥିଲେ ଓ ଏହି ରଣନୀତି ଗୁଜୁରାଟ ସପକ୍ଷରେ ଯାଇଥିଲା ଓ ବୈଭବ ଆଉଟ ହୋଇଥିଲେ ।
ମ୍ୟାଚର ଦ୍ଵିତୀୟ ଇନିଂସରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଗୁଜୁରାଟ ବୋଲରଙ୍କ ଉପରେ ଭାରି ପଡ଼ିଥିଲେ । ନିଜ ଆକ୍ରାମକ ବ୍ୟାଟିଂ ଜାରି ରଖିବା ସହ ଚୌକା, ଛକା ମଧ୍ୟ ସଂଗ୍ରହ କରୁଥିଲେ । ଏଭଳି ବ୍ୟାଟିଂ ଜାରି ରଖିଥିଲେ ବୋଧ ହୁଏ ମ୍ୟାଚ ରାଜସ୍ଥାନ ପକ୍ଷରେ ଯାଇଥାନ୍ତା, କାରଣ ପୂର୍ବରୁ ମଧ୍ୟ ଏଭଳି ଅନ୍ଦାଜରେ ବ୍ୟାଟିଂ କରି ରାଜସ୍ଥାନକୁ ମ୍ୟାଚ ଜିତାଇଛନ୍ତି ବୈଭବ । ଗୁଜୁରାଟ ବିପକ୍ଷ ମ୍ୟାଚରେ ପୁରା ଲୟରେ ଥିବା ନଜର ଆସୁଥିଲେ ବୈଭବ ଓ ଏହି ସମୟରେ ପଡିଆ ବାହାରେ ଥିବା ଗୁଜୁରାଟର କୋଚ ଆଶିଷ ନେହେରା କିଛି ଇଙ୍ଗିତ କରିଥିଲେ ।
ମ୍ୟାଚର ତୃତୀୟ ଓଭର ଶିରାଜ ବୋଲିଂ କରୁଥିଲେ ଓ ପ୍ରଥମ ୪ ଟି ବଲରେ ୩ ଟି ଚୌକା ମାରି ସାରିଥିଲେ ବୈଭବ । ଏହି ସମୟରେ ଆଶିଷ ନେହେରା କିଛି ଇଙ୍ଗିତ କଲେ, ଯାହାକୁ ଦେଖି କମେଣ୍ଟେଟର ଆକାଶ ଚୋପ୍ରା ଏହାକୁ ବୁଝିଥିଲେ ଓ କହିଥିଲେ ନେହେରା ଶିରାଜଙ୍କୁ ବାଉଁଶର ପକାଇବାକୁ କହୁଛନ୍ତି । ପରବର୍ତ୍ତୀ ବଲ ଶିରାଜ ବାଉଁଶର ବଲ ପକାଇଥିଲେ ଓ ବୈଭବ, ଶିରାଜଙ୍କ ଜାଲରେ ଫସିଯାଇଥିଲେ । ଛକା ମାରିବାକୁ ଯାଇ ଭୁଲ ସର୍ଟ ଖେଳିବସିଥିଲେ ବୈଭବ ଓ ରାଜସ୍ଥାନକୁ ମ୍ୟାଚ ହରିବାକୁ ପଡିଥିଲା ।
ବୈଭବ ଆଉଟ ହେବା ପରେ କ୍ୟାମେରା ତୁରନ୍ତ ଆଶିଷ ନେହେରାଙ୍କ ଉପରେ ପଡିଲା ଓ ସେ ହସିବା ସହ ନିଜ ରଣନୀତିରେ ସଫଳ ହୋଇ ଖୁସି ହୋଇଥିଲେ । କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନେହେରାଙ୍କ ଏହି ରଣନୀତି ମ୍ୟାଚର ଟର୍ଣ୍ଣିଙ୍ଗ ପଏଣ୍ଟ ଥିଲା ।