ଜୟପୁର: ଆଇପିଏଲ୍ ୨୦୨୬ର ୫୨ତମ ମୁକାବିଲାରେ ଗୁଜରାଟ ଟାଇଟନ୍ସ ଏକ ବଡ଼ ବିଜୟ ହାସଲ କରିଛି। ଶନିବାର ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଶୁଭମନ ଗିଲ୍ଙ୍କ ଗୁଜରାଟ ଦଳ ଘରୋଇ ରାଜସ୍ଥାନ ରୟାଲ୍ସକୁ ୭୭ ରନ୍ର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ଦମଦାର ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିବା ସହ ପ୍ଲେ-ଅଫ୍ ଦୌଡ଼ରେ ନିଜକୁ ଆହୁରି ମଜଭୁତ କରିଛି।
ଗିଲ୍-ସୁଦର୍ଶନଙ୍କ ରେକର୍ଡ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୨୨୯ ରନ୍ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଅଧିନାୟକ ଶୁଭମନ ଗିଲ୍ ୪୪ ବଲ୍ରୁ ୮୪ ରନ୍ର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ସାଇ ସୁଦର୍ଶନ ୫୫ ରନ୍ କରିଥିଲେ। ଜୁରେଲ ୨୪ ରନ, ରବୀନ୍ଦ୍ର ଜାଡ଼େଜା ୩୮ ରନ କରିଥିଲେ। ଏହି ଓପନିଂ ଯୋଡ଼ି ଆଇପିଏଲ୍ ଇତିହାସରେ ସର୍ବାଧିକ (୬ଟି) ଶତକୀୟ ଭାଗିଦାରୀର ରେକର୍ଡ ମଧ୍ୟ ସମାନ କରିଛନ୍ତି। ଶେଷ ଆଡ଼କୁ ରାହୁଲ ତେୱାତିଆ ମାତ୍ର ୪ ବଲ୍ରୁ ୧୪ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୨୨୯ରେ ପହଞ୍ଚାଇଥିଲେ।
ରଶିଦ ଖାନଙ୍କ ସ୍ପିନ୍ ଜାଲରେ ଛନ୍ଦି ହେଲା ରାଜସ୍ଥାନ
୨୩୦ ରନ୍ର ବିଶାଳ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଯଶସ୍ୱୀ ଜୈସୱାଲ ଏବଂ ବୈଭବ ସୂର୍ଯ୍ୟବଂଶୀ (୩୬) ଭଲ ଆରମ୍ଭ କରିଥିଲେ ମଧ୍ୟ ମଧ୍ୟକ୍ରମରେ ରଶିଦଦ୍ ଖାନଙ୍କ ଘାତକ ବୋଲିଂ ରାଜସ୍ଥାନର ଅଣ୍ଟା ଭାଙ୍ଗି ଦେଇଥିଲା। ରଶିଦ ଖାନ ମାତ୍ର ୩୩ ରନ୍ ଦେଇ ୪ଟି ଗୁରୁତ୍ୱପୂର୍ଣ୍ଣ ଓ୍ଵିକେଟ୍ ନେଇଥିଲେ। ରାଜସ୍ଥାନ ଦଳ ମାତ୍ର ୧୬.୩ ଓଭରରେ ୧୫୨ ରନ୍ କରି ଅଲ୍ଆଉଟ୍ ହୋଇଥିଲା।