ନୂଆଦିଲ୍ଲୀ/ତିରୁବନନ୍ତପୁରମ: କେରଳ ବିଧାନସଭା ନିର୍ବାଚନରେ ୧୦ ବର୍ଷ ପରେ କଂଗ୍ରେସକୁ ମିଳିଛି ବଡ଼ ସଫଳତା। ଦଳକୁ ବହୁମତ ମିଳିସାରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନେଇ ଶନିବାର ଦିଲ୍ଲୀରେ ଦଳର ହାଇକମାଣ୍ଡଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ରାଜ୍ୟର ପ୍ରମୁଖ ନେତାମାନେ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ଦୌଡ଼ରେ ତିନିଜଣ ପ୍ରମୁଖ ନେତା ସବୁଠାରୁ ଆଗରେ
କଂଗ୍ରେସ ସଂଗଠନ ମହାସଚିବ କେସି ଭେଣୁଗୋପାଳ, ବିରୋଧୀ ଦଳ ନେତା ବିଡି ସତୀଶନ ବରିଷ୍ଠ କଂଗ୍ରେସ ନେତା ରମେଶ ଚେନ୍ନିଥାଲା ରହିଛନ୍ତି। ଏହି ତିନି ନେତାଙ୍କ ମଧ୍ୟରୁ କାହାକୁ ଶାସନ ଗାଦି ମିଳିବ, ତାହା ଏବେ କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଛି।
ରାହୁଲଙ୍କ ବାର୍ତ୍ତା: ‘ଗଣତାନ୍ତ୍ରିକ ମୂଲ୍ୟବୋଧର ସମ୍ମାନ କର’
ବୈଠକ ସମୟରେ ରାହୁଲ ଗାନ୍ଧୀ କେରଳ ନେତାମାନଙ୍କୁ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ, କେରଳର ବିକାଶ ପାଇଁ ସମସ୍ତ ନେତାଙ୍କୁ ଏକାଠି ଚାଲିବାକୁ ହେବ। ବିଧାୟକମାନେ ଯେଉଁ ନେତାଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଭାବେ ବାଛିବେ, ତାଙ୍କ ନିଷ୍ପତ୍ତିକୁ ସମସ୍ତେ ସମ୍ମାନ ଦେବା ଉଚିତ୍। ରାଜ୍ୟର ଉନ୍ନତି ପାଇଁ ଦଳ ଯେକୌଣସି କଠୋର ନିଷ୍ପତ୍ତି ନେବାକୁ ପଛାଇବ ନାହିଁ ବୋଲି ସେ କହିଛନ୍ତି।
ହାଇକମାଣ୍ଡ ନେବେ ଅନ୍ତିମ ନିଷ୍ପତ୍ତି
ବୈଠକ ପରେ କେରଳ ପ୍ରଭାରୀ ଦୀପା ଦାସମୁନ୍ସୀ ସୂଚନା ଦେଇଛନ୍ତି ଯେ, ସମସ୍ତ ବିଧାୟକ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ରୀୟ ନେତୃତ୍ୱକୁ ଅଧିକାର ଦେଇଛନ୍ତି। କେରଳରେ ସରକାର ଗଠନ ପାଇଁ ମେ ୨୩ ତାରିଖ ଶେଷ ସମୟ ଥିବାରୁ, ଦଳ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ।
ଦିଲ୍ଲୀରେ ଚାଲିଥିବା ଏହି ମାରାଥନ୍ ବୈଠକରେ ରାଜ୍ୟ ସଭାପତି ସନି ଜୋସେଫ୍ଙ୍କ ସମେତ ଅଜୟ ମାକନ ଏବଂ ମୁକୁଲ ୱାସନିକଙ୍କ ଭଳି ପର୍ଯ୍ୟବେକ୍ଷକମାନେ ମଧ୍ୟ ଉପସ୍ଥିତ ଥିଲେ। ଏବେ ସାରା କେରଳବାସୀ ଚାହିଁ ରହିଛନ୍ତି ଯେ, ୧୦ ବର୍ଷ ପରେ କ୍ଷମତାକୁ ଫେରିଥିବା କଂଗ୍ରେସ କାହା ହାତରେ ଶାସନର ଡୋରି ଦେଉଛି।