ଭୁବନେଶ୍ଵର/ବାଲେଶ୍ଵର: ଭାରତୀୟ ସେନାର ସାମରିକ ଶକ୍ତିରେ ଯୋଡ଼ି ହୋଇଛି ଆଉ ଏକ ଶକ୍ତିଶାଳୀ ବ୍ରହ୍ମାସ୍ତ୍ର। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଓ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ ମିଳିତ ଭାବେ ‘ଅଗ୍ନି’ ମିସାଇଲର ଏକ ଅତ୍ୟାଧୁନିକ ସଂସ୍କରଣର ସଫଳ ପରୀକ୍ଷଣ କରିଛନ୍ତି। ଏହି ନୂଆ ମିସାଇଲ୍ ଏବେ ଚୀନ୍ ଏବଂ ପାକିସ୍ତାନ ଭଳି ପଡ଼ୋଶୀ ଦେଶଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଥିରେ ବ୍ୟବହୃତ ହୋଇଥିବା MIRV (Multiple Independently Targetable Re-entry Vehicle) ଟେକ୍ନୋଲୋଜି।
କ’ଣ ଏହି MIRV ଟେକ୍ନୋଲୋଜି?
ସରଳ ଭାଷାରେ କହିବାକୁ ଗଲେ, ଏହା ହେଉଛି ଗୋଟିଏ ତୀରରେ ଅନେକ ଶିକାର କରିବା ଭଳି ଏକ କୌଶଳ। ସାଧାରଣ ମିସାଇଲ୍ ଗୋଟିଏ ଲକ୍ଷ୍ୟଭେଦ କରୁଥିବା ବେଳେ MIRV ଯୁକ୍ତ ମିସାଇଲ୍ ଆକାଶରୁ ଅଲଗା ଅଲଗା ଦିଗରେ ଥିବା ଶତ୍ରୁର ଅନେକ ଘାଟିକୁ ଏକାସଙ୍ଗେ ଧ୍ୱଂସ କରିପାରିବ। ଏହି ମିସାଇଲରେ ଏକାଧିକ 'ୱାରହେଡ୍' ବା ଆୟୁଧ ଥାଏ, ଯାହାକୁ ଟ୍ରାକ୍ କରିବା ଶତ୍ରୁର ଏୟାର ଡିଫେନ୍ସ ସିଷ୍ଟମ ପାଇଁ ଅସମ୍ଭବ ହୋଇପଡ଼େ।
ଶବ୍ଦଠାରୁ ୨୪ ଗୁଣ ଅଧିକ ବେଗ!
ଓଡ଼ିଶାର ଡଃ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ପରୀକ୍ଷଣ କରାଯାଇଥିବା ଏହା ପ୍ରାୟ ମ୍ୟାକ୍ ୨୪) ବେଗରେ ଗତି କରିପାରେ। ଅର୍ଥାତ୍ ଶବ୍ଦର ବେଗଠାରୁ ପ୍ରାୟ ୨୪ ଗୁଣ ଅଧିକ। ଘଣ୍ଟା ପ୍ରତି ବେଗ ପ୍ରାୟ ୨୯,୪୦୦ କିଲୋମିଟର ରହିଛି।ମିସାଇଲଟି ଯେତେବେଳେ ମହାକାଶରୁ ପୁଣି ବାୟୁମଣ୍ଡଳକୁ ଫେରେ, ସେତେବେଳେ ପ୍ରବଳ ଘର୍ଷଣ ଯୋଗୁଁ ହଜାର ହଜାର ଡିଗ୍ରୀ ତାପମାତ୍ରା ସୃଷ୍ଟି ହୁଏ। ଏହି ନୂଆ ମିସାଇଲରେ ଏମିତି 'ରି-ଏଣ୍ଟ୍ରି' ଟେକ୍ନୋଲୋଜି ବ୍ୟବହାର କରାଯାଇଛି, ଯାହା ଅତ୍ୟଧିକ ତାପମାତ୍ରାରେ ମଧ୍ୟ ୱାରହେଡ୍କୁ ସୁରକ୍ଷିତ ରଖିବ।
ହଜାର ହଜାର କିଲୋମିଟର ଦୂରକୁ କରିବ ଆକ୍ରମଣ
ଯଦିଓ DRDO ଆନୁଷ୍ଠାନିକ ଭାବେ ଏହାର ନାମ ପ୍ରକାଶ କରିନାହିଁ, କିନ୍ତୁ ଏହା ଅଗ୍ନି-୫ (Agni-V) ଶ୍ରେଣୀର ଏକ ଆଡଭାନ୍ସ ଭର୍ସନ ବୋଲି କୁହାଯାଉଛି। ଏହା ଏକ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ ମିସାଇଲ୍ (ICBM), ଯାହା ୫୫୦୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ମାର କରିପାରିବ। ଏହି ପରୀକ୍ଷଣ ପରେ ଭାରତ ଦୁନିଆର ସେହି କିଛି ଗଣତିର ଦେଶଙ୍କ ତାଲିକାରେ ସାମିଲ ହୋଇଛି, ଯାହାଙ୍କ ପାଖରେ MIRV ଶକ୍ତି ରହିଛି।
ପାକିସ୍ତାନ ଓ ଚୀନ୍ ପାଇଁ ସ୍ପଷ୍ଟ ସଂକେତ
ବିଶେଷଜ୍ଞଙ୍କ ମତରେ, ‘ଅପରେସନ୍ ସିନ୍ଦୂର’ର ଏକ ବର୍ଷ ପୂର୍ତ୍ତି ଅବସରରେ ଏହି ପରୀକ୍ଷଣ କରାଯାଇଛି। ଏହା ପାକିସ୍ତାନ ଏବଂ ତା’ର ସହଯୋଗୀ ଦେଶମାନଙ୍କ ପାଇଁ ଏକ ସ୍ପଷ୍ଟ ବାର୍ତ୍ତା ଯେ, ଯଦି ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୁଏ, ତେବେ ଜବାବ୍ ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଏବଂ ଘାତକ ହେବ।