ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଦୁନିଆରେ ଏବେ କାଳ ସାଜିଛି 'କ୍ୱାଲକମ୍ ସ୍ନାପଡ୍ରାଗନ୍' (Qualcomm Snapdragon) ଚିପସେଟ୍। ଏହି ପ୍ରୋସେସରରେ କିଛି ଗମ୍ଭୀର ବୈଷୟିକ ତ୍ରୁଟି ଦେଖାଦେଇଥିବା ନେଇ CERT-In ସୂଚନା ଦେଇଛି। ଏହି ଦୁର୍ବଳତାର ସୁଯୋଗ ନେଇ ସାଇବର ଅପରାଧୀମାନେ ଆପଣଙ୍କ ଫୋନକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହ ବ୍ୟକ୍ତିଗତ ତଥ୍ୟ ଚୋରି କରିବାର ଆଶଙ୍କା ରହିଛି।
କେଉଁ ପ୍ରୋସେସର ଉପରେ ରହିଛି ବିପଦ?
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ବିପଦ କେବଳ ଦାମୀ ଫୋନ୍ ନୁହେଁ ବରଂ ଶସ୍ତା ଏବଂ ମିଡ୍-ରେଞ୍ଜ୍ ଫୋନରେ ମଧ୍ୟ ରହିଛି। ମୁଖ୍ୟତଃ ନିମ୍ନଲିଖିତ ଚିପସେଟ୍ ଗୁଡ଼ିକ ଏଥିରେ ପ୍ରଭାବିତ:
ସ୍ନାପଡ୍ରାଗନ୍ ୮ ଜେନେରେସନ ସିରିଜ୍ (ପ୍ରିମିୟମ ଫୋନ୍)
ସ୍ନାପଡ୍ରାଗନ୍ ୭ ସିରିଜ୍
ସ୍ନାପଡ୍ରାଗନ୍ ୬ ସିରିଜ୍
ସ୍ନାପଡ୍ରାଗନ୍ ୪ ଜେନେରେସନ ସିରିଜ୍
ଏହା ସହିତ ସ୍ନାପଡ୍ରାଗନ୍ ୮୮୮ ଭଳି ପୁରୁଣା ପ୍ରୋସେସର ମଧ୍ୟ ବିପଦ ମୁହଁରେ ଅଛି।
କିଭଳି କ୍ଷତି କରିପାରନ୍ତି ହ୍ୟାକର୍ସ?
ସରକାରୀ ଏଜେନ୍ସିର ସୂଚନା ଅନୁଯାୟୀ, ହ୍ୟାକର୍ସମାନେ 'ରିମୋଟ୍ କୋଡ୍ ଏକ୍ଜିକ୍ୟୁସନ୍' ମାଧ୍ୟମରେ ଦୂରରେ ରହି ମଧ୍ୟ ଆପଣଙ୍କ ଫୋନରେ ପ୍ରବେଶ କରିପାରିବେ। ଏହାଦ୍ୱାରା ଡାଟା ଚୋରି: ବ୍ୟାଙ୍କିଙ୍ଗ୍ ତଥ୍ୟ, ପାସୱାର୍ଡ, ଫଟୋ ଏବଂ ବ୍ୟକ୍ତିଗତ ଚାଟ୍ ହ୍ୟାକର୍ସଙ୍କ ହାତକୁ ଯାଇପାରେ।
ସିଷ୍ଟମ କଣ୍ଟ୍ରୋଲ: ଆପଣଙ୍କ ଫୋନର କ୍ୟାମେରା ବା ମାଇକ୍ରୋଫୋନକୁ ଆପଣଙ୍କ ଅଜାଣତରେ ବ୍ୟବହାର କରାଯାଇପାରେ।
ଆପ୍ କ୍ରାସ୍: ଫୋନରେ ଥିବା ଆପ୍ ଗୁଡ଼ିକ ବାରମ୍ବାର ବନ୍ଦ ହେବା କିମ୍ବା ଫୋନ୍ ହ୍ୟାଙ୍ଗ୍ ହେବା ଭଳି ସମସ୍ୟା ଦେଖାଦେଇପାରେ।
ସୁରକ୍ଷିତ ରହିବା ପାଇଁ କ’ଣ କରିବେ?
ଭୟଭୀତ ନହୋଇ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ନିଜକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଅନ୍ତୁ:
ତୁରନ୍ତ ଫୋନର Settings କୁ ଯାଇ ସଫ୍ଟୱେର୍ ଅପଡେଟ୍ ଚେକ୍ କରନ୍ତୁ। ଯଦି କୌଣସି ନୂଆ 'ସିକ୍ୟୁରିଟି ପ୍ୟାଚ୍' (Security Patch) ଆସିଛି, ତେବେ ତାକୁ ତୁରନ୍ତ ଇନଷ୍ଟଲ କରନ୍ତୁ।କୌଣସି ଅଜଣା ୱେବସାଇଟରୁ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ। କେବଳ ଗୁଗଲ ପ୍ଲେ-ଷ୍ଟୋର ବ୍ୟବହାର କରନ୍ତୁ। ହ୍ୱାଟସଆପ୍ କିମ୍ବା ମେସେଜରେ ଆସୁଥିବା ଅଜଣା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ। ଯଦି ଫୋନ୍ ଅଧିକ ଗରମ ହେଉଛି ବା ବ୍ୟାଟେରୀ ଶୀଘ୍ର ସରିଯାଉଛି, ତେବେ ଫୋନଟିକୁ ଥରେ ଯାଞ୍ଚ କରନ୍ତୁ।