ଚେନ୍ନାଇ: ତାମିଲନାଡୁରେ ନୂଆ ସରକାରକୁ ନେଇ ମଧ୍ୟ ଏବେ ବି ପେଞ୍ଚ ରହିଛି । ଏହି ସବୁ ମଧ୍ୟରେ ଅଭିନେତା ବିଜୟ ପୁଣି ଥରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବେ । ହେଲେ ତାଙ୍କ ପାଖରେ ଏବେ ବି ଆବଶ୍ୟକ ସଂଖ୍ୟାବଳ ନାହିଁ । ସୂତ୍ର ମୁତାବକ କଂଗ୍ରେସର ପାଞ୍ଚ ଏବଂ କିଛି ଛୋଟ ଦଳ ସମର୍ଥନ ପରେ ବି ଏ ପର୍ଯ୍ୟନ୍ତ କେବଳ ୧୧୬ ବିଧାୟକ ହିଁ ତାଙ୍କ ସମର୍ଥନରେ ରହିଛି । ଆହୁରି ଦୁଇ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ । ଏହି କାରଣରୁ ରାଜ୍ୟପାଳ ତାଙ୍କୁ ବାରମ୍ବାର ଲୋକଭବନରୁ ଫେରାଇ ଦେଉଛନ୍ତି ।
ବିଜୟଙ୍କ ପାର୍ଟି ଟିଭିକେ ପାଖରେ ବର୍ତ୍ତମାନ ୧୦୮ ବିଧାୟକ ଅଛନ୍ତି । ବିଜୟ ନିଜେ ଦୁଇଟି ସିଟରେ ନିର୍ବାଚନ ଜିତିଥିଲେ । ଏଥିରୁ ତାଙ୍କୁ ଗୋଟିଏ ସିଟ୍ ଛାଡିବାକୁ ପଡିବ । ଫଳରେ ବହୁମତ ପାଇଁ ବିଜୟଙ୍କୁ ୧୧ ବିଧାୟକଙ୍କ ସମର୍ଥନର ଆବଶ୍ୟକତା ରହିଛି । କଂଗ୍ରେସର ୫ ବିଧାୟକ ଓ ବାମପନ୍ଥୀ ଦଳ ଓ ଟିଭିକେକୁ ବିନା ସର୍ତ୍ତରେ ବାହାରୁ ସମର୍ଥନ ଦେବାକୁ ଘୋଷଣା କରିଛନ୍ତି । ଏହାକୁ ମିଶାଇଲେ ସଂଖ୍ୟା ୧୧୬ରେ ପହଞ୍ଚୁଛି । ଏବେ ପ୍ରଶ୍ନ ଉଠୁଛି ରାଜ୍ୟପାଳ ତାଙ୍କୁ ସରକାର ଗଢିବାକୁ ଆମନ୍ତ୍ରିତ କରିବେ ନା ନାହିଁ ।
ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଖପ୍ପା କଂଗ୍ରେସ
ରାଜ୍ୟପାଳ ଦ୍ୱାରା ସବୁଠୁ ବଡ ପାର୍ଟି ଟିଭିକେକୁ ସରକାର ଗଠନ ପାଇଁ ଆମନ୍ତ୍ରିତ କରିବାରେ ବିଳମ୍ବକୁ ନେଇ କଂଗ୍ରେସ ଘୋର ଅସନ୍ତୋଷ ବ୍ୟକ୍ତ କରିଛି । ଏହା ବିରୋଧରେ କଂଗ୍ରେସ ରାଜ୍ୟବ୍ୟାପୀ ପ୍ରଦର୍ଶନ କରିଥିଲା । ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ରାଜ୍ୟ ସଭାପତି କହିଥିଲେ ଯେ, ରାଜ୍ୟପାଳ ଦୋମୁହାଁ ନୀତି ଆପଣେଉଛନ୍ତି । ବଡ ଦଳ ହିସାବରେ ଟିଭିକେକୁ ସରକାର ଗଢିବାକୁ ଆମନ୍ତ୍ରିତ କରିବା ଉଚିତ୍ । କିନ୍ତୁ ରାଜ୍ୟପାଳ କାହା ଚାପରେ କାମ କରୁଛନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ରାଜ୍ୟପାଳ ଥାଲାପତି ବିଜୟଙ୍କୁ ଦୁଇ ଥର ଲୋକଭବନରୁ ଫେରାଇ ଦେଇଛନ୍ତି । ପ୍ରଥମ ଥର ଯେବେ ବିଜୟ ସରକାର ଗଢିବାକୁ ଦାବି ଉପସ୍ଥାପନ କରିଥିଲେ, ସେହି ସମୟରେ ସେ ଲୋକଭବନରେ ୧୧୩ ବିଧାୟକଙ୍କ ସମର୍ଥନ ଥିବା ଜଣାଇଥିଲେ । ରାଜ୍ୟପାଳ ତାଙ୍କୁ ୧୧୮ ବିଧାୟକଙ୍କ ଦସ୍ତଖତ ସହ ଆସିବାକୁ କହିଥିଲେ । ପୁଣି ବିଜୟ ୧୧୬ ବିଧାୟକଙ୍କ ସମର୍ଥନ ନେଇ ଯାଇଥିଲେ । ହେଲେ ରାଜ୍ୟପାଳ ପୁଣି ଥରେ ତାଙ୍କୁ ଫେରାଇ ଦେଇଥିଲେ ।
Also Read: କିଏ ଏହି ମାଖନଲାଲ ସରକାର ? ଶୁଭେନ୍ଦଙ୍କ ଶପଥ ପୂର୍ବରୁ ପାଦ ଛୁଇଁ ଆଶୀର୍ବାଦ ନେଲେ ପିଏମ ମୋଦୀ