କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ବଡ ପରିବର୍ତ୍ତନ ମଧ୍ୟରେ ପ୍ରଶାସନିକ କଳରେ ମଧ୍ୟ କ୍ଷମତା ପରିବର୍ତ୍ତନର ଝଲକ ଦେଖିବାକୁ ମିଳିଛି । ବିଜେପିର ଐତିହାସିକ ବିଜୟ ପରେ ଶୁଭେନ୍ଦୁ ଅଧିକାରୀ ଶନିବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । ଶୁଭେନ୍ଦୁ ମୁଖ୍ୟମନ୍ତ୍ରୀ ହେବା ମାତ୍ରେ କୋଲକାତା ପୋଲିସ ସରକାରୀ ଏକ୍ସ ହ୍ୟାଣ୍ଡେଲରେ କରିଥିବା ପରିବର୍ତ୍ତନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ପୋଲିସ ନିଜର ଫଲୋଇଙ୍ଗ ତାଲିକାରୁ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କୁ ହଟାଇ ଦେଇଛି । ତାଙ୍କ ସ୍ଥାନରେ ପୋଲିସ ନରେନ୍ଦ୍ର ମୋଦୀ ଓ ଅମିତ ଶାହଙ୍କୁ ଫଲୋ କରିଛି ।
ମମତା-ଅଭିଷେକ ଅନଫଲୋ
ଏହି ଡିଜିଟାଲ୍ ପରିବର୍ତ୍ତନ ଦର୍ଶାଇ ଦେଇଛି ଯେ, କୋଲକାତା ପୋଲିସ ଏବେ ନୂଆ ସରକାର ସହ ତାଳମେଳ ଏବଂ ସମନ୍ୱୟ ରଖି କାମ କରିବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇଛି । ଏ ପର୍ଯ୍ୟନ୍ତ ରାଜ୍ୟର ଡିଜିଟାଲ୍ ପ୍ଲାଟଫର୍ମ ମମତା ବାନାର୍ଜୀ ଓ ଅଭିଷେକ ବାନାର୍ଜୀଙ୍କ ହାତରେ ଥିଲା । ମାତ୍ର ନିର୍ବାଚନରେ ଟିଏମସିର ଶୋଚନୀୟ ପରାଜୟ ପରେ ପରିଦୃଶ୍ୟରେ ଦ୍ରୁତ ଗତିରେ ପରିବର୍ତ୍ତନ ଆସିଛି । ବିଜେପିର ପ୍ରଚଣ୍ଡ ବିଜୟ ସହ ପଶ୍ଚିମବଙ୍ଗରେ ଟିଏମସି ରାଜର ଅନ୍ତ ଘଟିଛି । ଆଉ କୋଲକାତା ପୋଲିସର ଏହି ପଦକ୍ଷେପ ଦର୍ଶାଉଛି ଯେ, ନୂଆ ସରକାର ସହ ତାଳମେଳ ରଖି କାମ କରିବାକୁ ପ୍ରସ୍ତୁତ ।
ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ
ପଶ୍ଚିମବଙ୍ଗ ଇତିହାସରେ ଯୋଡ଼ି ହୋଇଛି ନୂତନ ଅଧ୍ୟାୟ । ପ୍ରଥମ ଥର ପାଇଁ ରାଜ୍ୟର ଶାସନ କରିବ ଭାରତୀୟ ଜନତା ପାର୍ଟି । ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । କୋଲକାତାର ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ଶପଥ ସମାରୋହରେ ରାଜ୍ୟପାଳ ଆର୍.ଏନ୍ ରବି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ତାଙ୍କର ପାଞ୍ଚ ଜଣିଆ ମନ୍ତ୍ରୀ ପରିଷଦ ଶପଥ ନେଇଛନ୍ତି । ଦିଲ୍ଲୀପ କୁମାର ଘୋଷ, ଅଗ୍ନିମିତ୍ରା ପଲ, ଶ୍ରୀ ଅଶୋକ କିର୍ତ୍ତନିଆ, ଖୁଦିରାମ ଟୁଡୁ ଓ ନୀଶିଥ ପାରମାଣିକ କ୍ୟାବିନେଟ୍ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ତମାମ ବିଜେପି ନେତୃବୃନ୍ଦଙ୍କ ଗହଣରେ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି ।