ପଶ୍ଚିମବଙ୍ଗ ଇତିହାସରେ ଯୋଡ଼ି ହୋଇଛି ନୂତନ ଅଧ୍ୟାୟ । ପ୍ରଥମ ଥର ପାଇଁ ରାଜ୍ୟର ଶାସନ କରିବ ଭାରତୀୟ ଜନତା ପାର୍ଟି । ଶପଥ ନେଇଛନ୍ତି ଶୁଭେନ୍ଦୁ ଅଧିକାରୀ । କୋଲକାତାର ବିଗ୍ରେଡ୍ ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ଶପଥ ସମାରୋହରେ ରାଜ୍ୟପାଳ ଆର୍.ଏନ୍ ରବି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।
ଶୁଭେନ୍ଦୁ ଅଧିକାରୀଙ୍କ ସହିତ ତାଙ୍କର ପାଞ୍ଚ ଜଣିଆ ମନ୍ତ୍ରୀ ପରିଷଦ ଶପଥ ନେଇଛନ୍ତି । ଦିଲ୍ଲୀପ କୁମାର ଘୋଷ, ଅଗ୍ନିମିତ୍ରା ପଲ, ଶ୍ରୀ ଅଶୋକ କିର୍ତ୍ତନିଆ, ଖୁଦିରାମ ଟୁଡୁ ଓ ନୀଶିଥ ପାରମାଣିକ କ୍ୟାବିନେଟ୍ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ, ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ସମେତ ତମାମ ବିଜେପି ନେତୃବୃନ୍ଦଙ୍କ ଗହଣରେ ଶପଥ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
ଏହି ଶପଥ ସମାରୋହରେ ସହ ପର୍ଯ୍ୟବେକ୍ଷକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍, ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ସୁନେତ୍ରା ପାୱାର, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ସାଂସଦ ମିଥୁନ ଚକ୍ରବର୍ତ୍ତୀ ଏବଂ ସ୍ମୃତି ଇରୀନା ପ୍ରମୁଖ ଏହି ଐତିହାସିକ ଦିନର ସାକ୍ଷୀ ରହିଛନ୍ତି । ଶପଥ ଶେଷ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସଦ ଅନ୍ୟ ନେତୃବୃନ୍ଦମାନେ ଶୁଭେନ୍ଦୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଏହା ଉଲ୍ଲେଖନୀୟ ଯେ ପଶ୍ଚିମବଙ୍ଗରେ ବିଜେପି ୨୦୭ଟି ଆସନରେ ଏକ ବଡ଼ ବିଜୟ ହାସଲ କରିଥିଲା। ଏହି ସମୟରେ, ଟିଏମସି ମାତ୍ର ୮୦ ଆସନରେ ସଙ୍କୁଚିତ ହୋଇ ଏହାର ୧୫ ବର୍ଷର ଶାସନର ଅନ୍ତ ଘଟାଇଥିଲା।
ମମତାଙ୍କୁ ହରାଇଥିଲେ ଶୁଭେନ୍ଦୁ
ଶୁଭେନ୍ଦୁ ଅଧିକାରୀ ଭବାନୀପୁରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଛନ୍ତି । ନିର୍ବାଚନରେ ମମତାଙ୍କୁ ୧୫ ହଜାର ୧୦୫ଟି ଭୋଟ୍ ବ୍ୟବଧାନରେ ଧୂଳି ଚଟାଇଥିଲେ ଶୁଭେନ୍ଦୁ । ଏହା ପୂର୍ବରୁ ୨୦୨୧ ନିର୍ବାଚନରେ ଶୁଭେନ୍ଦୁ ନନ୍ଦିଗ୍ରାମରେ ମମତାଙ୍କୁ ହରାଇଥିଲେ । ମମତାଙ୍କୁ ୧୯୫୬ ଭୋଟରେ ପରାସ୍ତ କରିଥିଲେ ।