କୋଲକାତା: ପଶ୍ଚିମବଙ୍ଗର କୋଲକାତାର ବ୍ରିଗେଡ ଗ୍ରାଉଣ୍ଡରେ ଶୁଭେନ୍ଦୁ ଅଧିକାରୀଙ୍କ ଆୟୋଜିତ ଶପଥ ସମାରୋହ କାର୍ଯ୍ୟକ୍ରମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ହେଲେ ଏହି ସମୟରେ ପିଏମ ମୋଦୀ ମଞ୍ଚରେ ଜଣେ ବୃଦ୍ଧଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି । ବୃଦ୍ଧଙ୍କୁ ଉପକୌଢନ ଦେଇ ଆଲିଙ୍ଗନ କରିଛନ୍ତି । ଏହି ଦୃଶ୍ୟ ଦେଖି ପ୍ରତ୍ୟେକଙ୍କ ମନରେ ପ୍ରଶ୍ନ ଏହି ବୃଦ୍ଧ ଜଣଙ୍କ କିଏ, ଯାହାଙ୍କ ପାଦ ଛୁଇଁ ପିଏମ ମୋଦୀ ଆଶୀର୍ବାଦ ନେଲେ । ଏହି ବ୍ୟକ୍ତି ହେଉଛନ୍ତି ପଶ୍ଚିମବଙ୍ଗ ବିଜେପିର ସବୁଠୁ ବରିଷ୍ଠ କାର୍ଯ୍ୟକର୍ତ୍ତା । । ତାଙ୍କ ନାଁ ମାଖନଲାଲ ସରକାର ।
ପଶ୍ଚିମବଙ୍ଗ ରାଜନୀତିର ଏହି ନିଆରା ଚିତ୍ର ଏବେ ସୋସିଆଲ ମିଡିଆରେ ବ୍ୟାପିବାରେ ଲାଗିଛି। ସାଧାରଣତଃ ପ୍ରଧାନମନ୍ତ୍ରୀଙ୍କୁ ଦେଖିଲେ ଲୋକେ ତାଙ୍କ ଆଶୀର୍ବାଦ ନିଅନ୍ତି, କିନ୍ତୁ ଏଠାରେ ଦୃଶ୍ୟ ସମ୍ପୂର୍ଣ୍ଣ ଓଲଟା। ସାରା ଦେଶର ଶାସନ ଭାର ଯାହାଙ୍କ ହାତରେ, ସେ ଜଣେ ସାଧାରଣ ବୟୋବୃଦ୍ଧଙ୍କ ପାଦ ଛୁଇଁ ସମ୍ମାନ ଜଣାଉଛନ୍ତି। ସେହି ବ୍ୟକ୍ତିଜଣକ ହେଉଛନ୍ତି ମାଖନଲାଲ ସରକାର।
କିଏ ଏହି ମାଖନଲାଲ?
ମାଖନଲାଲ ସରକାର ହେଉଛନ୍ତି ପଶ୍ଚିମବଙ୍ଗର ଜଣେ ଅତ୍ୟନ୍ତ ପୁରୁଣା ଏବଂ ନିଷ୍ଠାପର ବିଜେପି କାର୍ଯ୍ୟକର୍ତ୍ତା। ଯେତେବେଳେ ବଙ୍ଗ ମାଟିରେ ଭାରତୀୟ ଜନତା ପାର୍ଟିର କୌଣସି ଅସ୍ତିତ୍ୱ ନଥିଲା, ସେତେବେଳୁ ସେ ଦଳ ପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି।ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜନସଂଘ ସମୟରୁ ଦଳ ସହ ଯୋଡ଼ି ହୋଇ ରହିଛନ୍ତି।ବଙ୍ଗଳାରେ ରାଜନୈତିକ ହିଂସା ଏବଂ ବିରୋଧ ସତ୍ତ୍ୱେ ସେ କେବେ ବି ପଛକୁ ହଟିନାହାନ୍ତି। ଏକାଧିକ ଥର ତାଙ୍କ ଉପରେ ଆକ୍ରମଣ ହୋଇଥିଲେ ମଧ୍ୟ ସେ ନିଜ ନିଷ୍ଠାରୁ ଟଳିନାହାନ୍ତି।
କାର୍ଯ୍ୟକ୍ରମରେ କ’ଣ ଘଟିଥିଲା?
ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ସମାରୋହ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚରେ ଅନେକ ବଡ଼ ବଡ଼ ନେତା ଉପସ୍ଥିତ ଥିଲେ, କିନ୍ତୁ ସମସ୍ତଙ୍କୁ ଚକିତ କରି ମୋଦୀ ସିଧା ମାଖନଲାଲଙ୍କ ପାଖକୁ ଚାଲିଯାଇଥିଲେ।ମୋଦୀ ନିଜ ହାତରେ ମାଖନଲାଲଙ୍କୁ ସମ୍ମାନଜନକ ଶାଲ୍ ଓଢ଼ାଇ ଦେଇଥିଲେ। ଶାସନର ଶୀର୍ଷରେ ଥାଇ ମଧ୍ୟ ମୋଦୀ ତଳକୁ ନଇଁ ମାଖନଲାଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହି ଦୃଶ୍ୟ ଦେଖି ଉପସ୍ଥିତ ସମସ୍ତ ଅତିଥି ଭାବବିହ୍ୱଳ ହୋଇପଡ଼ିଥିଲେ।
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଲୋକେ ମୋଦୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ମାଖନଲାଲଙ୍କ ଭଳି ତୃଣମୂଳ ସ୍ତରର କର୍ମୀଙ୍କ ଯୋଗୁଁ ହିଁ ବିଜେପି ଆଜି ଏହି ସ୍ଥିତିରେ ପହଞ୍ଚିଛି ବୋଲି ଚର୍ଚ୍ଚା ହେଉଛି।