ଆଇପିଏଲ ୨୦୨୬ ର ଏକ ମ୍ୟାଚ ଦେଖି ଘରକୁ ଫେରୁଥିବାବେଳେ ସଡକ ଦୁର୍ଘଟଣାରେ ଦୁଇ ସାଙ୍ଗଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ଅନୁଯାୟୀ ଦୁଇ ସାଙ୍ଗ ବାଇକରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ଗାଡି ଧକ୍କା ଦେଇଥିଲା, ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀ ଖାସ୍ ଫ୍ଲାଏଓଭର ନିକଟରେ ଏହି ଦୁର୍ଘଟଣା ଘଟିଛି। ବାଇକରେ ଥିବା ଦୁଇ ବନ୍ଧୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମ୍ୟାଚ ଦେଖି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ସାଙ୍ଗ ନିଜ ବାଇକରେ ଖଜୁରୀ ଖାସ୍ ଫ୍ଲାଏଓଭରରୁ ତଳକୁ ଓହ୍ଲାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କ ଗାଡିକୁ ଧକ୍କା ମାରିଥିଲା । ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଘଟଣାସ୍ଥଳରେ ଦୁଇ ଯୁବକଙ୍କର ମୃତ୍ୟୁ ହୋଇଛି । ଦୁଇ ଯୁବକ ହେଉଛନ୍ତି ହେମନ୍ତ ତିୱାରୀ ଓ ରୋହିତ । ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି ।
ଚଳିତ ବର୍ଷ ଏପ୍ରିଲ ୨୮ ତାରିଖରେ ଆଇପିଏଲ ଦେଖି ଫେରୁଥିବା ସମୟରେ ସମାନ ଭାବେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଦୁଇ ଭାଇ ମ୍ୟାଚ ଦେଖି ଫେରୁଥିବାବେଳେ ଅଶୋକ ରୋଡ଼ରେ ଦୁର୍ଘଟଣା ଘଟିଥିଲା । ଏପ୍ରିଲ ୨୮ ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ଦେଖି ଫେରୁଥିବାବେଳେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିଲା ।