ଭାରତୀୟ ପୁରୁଷ ଟେଷ୍ଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ୟଶସ୍ଵୀ ଜେସୱାଲ ଓ ଭାରତୀୟ ମହିଳା ଦଳର ବିସ୍ଫୋରକ ଓପନର ଶେଫାଳି ବର୍ମାଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଏହି ଦୁଇ ଖେଳାଳିଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ନୋଟିସ ଜାରି କରିଛି । ଡୋପ ଟେଷ୍ଟ ନଦେବା କାରଣରୁ ନାଡା ଏହି ଦୁଇ ଖେଳାଳିଙ୍କୁ ନୋଟିସ ପଠାଇଛି ।
ନାଡା ଦ୍ୱାରା ପୂର୍ବରୁ ସୂଚନା ଦିଆଯାଇଥିବା ସ୍ଥାନରେ ଦୁଇ ଖେଳାଳି ଡୋପ ଟେଷ୍ଟ ପାଇଁ ପହଞ୍ଚି ନଥିଲେ । ଏହି କାରଣରୁ ନାଡା ସେମାନଙ୍କୁ ନୋଟିସ ପଠାଇଛି । କେଉଁ କାରଣରୁ ସେମାନେ ଟେଷ୍ଟ ପାଇଁ ଉପସ୍ଥିତ ହେଲେ ନାହିଁ ସେ ନେଇ ଉତ୍ତର ରଖିବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ।
ଯଦି କୌଣସି ଖେଳାଳି ୧୨ ମାସ ମଧ୍ୟରେ 'ହ୍ୱେଆର ଆବାଉଟ ଫେଲିଅର' ପରୀକ୍ଷାରୁ ବଂଚିତ ହୁଅନ୍ତି ତେବେ ସେମାନଙ୍କୁ ଡୋପିଂ ନିୟମ ଉଲ୍ଲଙ୍ଘନ ଆଧାରରେ ଦୋଷୀ ସାବ୍ୟସ୍ତ କରାଯିବ । ପରବର୍ତ୍ତୀ ସମୟରେ ଖେଳାଳିଙ୍କୁ ନାଡା ପ୍ୟାନେଲ ସାମ୍ନାରେ ନିଜ ସଫେଇ ଦେବାକୁ ପଡିବ । ଯଦି ଖେଳାଳି ଏଭଳି କରିବାରେ ମଧ୍ୟ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରାଯିବ।
ନାଡା ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ, ଜେସୱାଲ ପୂର୍ବ ବର୍ଷ ୧୭ ଡିସେମ୍ବରରେ ଡୋପ ଟେଷ୍ଟ ପାଇଁ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିନଥିଲେ । ଅନ୍ୟପଟେ ଶେଫାଳି ବର୍ମା ମଧ୍ୟ ତାଙ୍କୁ କୁହାଯାଇଥିବା ସ୍ଥାନରେ ଟେଷ୍ଟ ପାଇଁ ଉପସ୍ଥିତ ହୋଇନଥିଲେ । ଏହି କାରଣରୁ ଦୁଇ ଖେଳାଳିଙ୍କୁ ନୋଟିସ ପଠାଇଛି ନାଡା । ଏହି ଦୁଇ ଖେଳାଳି ନାଡା ଦ୍ୱାରା ପଞ୍ଜିକୃତ ପରୀକ୍ଷା ପୁଲର ଅଂଶ ଥିଲେ । ଏହି ପୁଲରେ ଅନ୍ତର୍ଭୁକ୍ତ ଖେଳାଳି କେବେ ଓ କେଉଁଠି ପରୀକ୍ଷା ପାଇଁ ଉପଲବ୍ଧ ହେବେ ତାହା ନାଡାକୁ ଜଣାଇବାକୁ ବାଧ୍ୟ । ନାଡା ଏହି ସ୍ଥାନକୁ ଏକ ଟେଷ୍ଟିଙ୍ଗ ଟିମ ପଠାଇଥାଏ । ୟଶସ୍ଵୀ ଜେସୱାଲ ଓ ଶେଫାଳି ବର୍ମା କହିଥିବା ସ୍ଥାନକୁ ନାଡା ଏକ ଟେଷ୍ଟିଙ୍ଗ ଟିମ ପଠାଇଥିଲେ ମଧ୍ୟ ଏହି ଦୁଇ ଖେଳାଳି ଉପସ୍ଥିତ ହୋଇନଥିଲେ ।
ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଓ ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) କୁ ଏହି ମାମଲା ସମ୍ପର୍କରେ ଅବଗତ କରାଯାଇଛି । ଏହି ଦୁଇ ଖେଳାଳିଙ୍କୁ ସଫେଇ ଦେବା ପାଇଁ ୭ ଦିନ ସମୟ ମଧ୍ୟ ଦିଆଯାଇଛି । ତେବେ ଶେଫାଳି ଓ ଜେସୱାଲଙ୍କୁ ଏବେ ପୂର୍ବ ଅପେକ୍ଷା ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ, କାରଣ ଯଦି ଆଉ ଦୁଇଟି ଟେଷ୍ଟ ଦେବାରେ ସେମାନେ ବିଫଳ ହୁଅନ୍ତି ତେବେ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ ମଧ୍ୟ କରିପାରେ ନାଡା।