ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂଆ ସୂର୍ଯ୍ୟୋଦୟ ହେବାକୁ ଯାଉଛି। ସିନେମା ପରଦାରେ ରାଜ୍ କରୁଥିବା 'ଥାଲାପତି' ବିଜୟ ଏବେ ରାଜ୍ୟର ଶାସନ ଗାଦି ସମ୍ଭାଳିବେ। ଆସନ୍ତାକାଲି ଅର୍ଥାତ୍ ରବିବାର ସକାଳ ୧୦ଟାରେ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶନିବାର ସନ୍ଧ୍ୟାରେ ବିଜୟ ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ରାଜ୍ୟପାଳ ସରକାର ଗଢିବାକୁ ଅନୁମତି ଦେଇଛନ୍ତି।
ସଂଖ୍ୟା ଗରିଷ୍ଠତାର ସମୀକରଣ:
ବିଜୟଙ୍କ ଦଳ TVK ପାଖରେ ନିଜସ୍ୱ ୧୦୮ ବିଧାୟକ ଥିଲେ। କିନ୍ତୁ ବହୁମତ ପାଇଁ ଆବଶ୍ୟକ ଥିଲା ୧୧୮। ଶନିବାର ଦିନ VCK ଏବଂ IUML ର ସମର୍ଥନ ମିଳିବା ପରେ ଏହି ସଂଖ୍ୟା ଏବେ ୧୨୦ ରେ ପହଞ୍ଚିଛି। ଫଳରେ ସରକାର ଗଠନ ପାଇଁ ଥିବା ସମସ୍ତ ବାଧା ଏବେ ଦୂର ହୋଇଯାଇଛି।
କଂଗ୍ରେସ ଛାଡ଼ିଲା DMK ସାଥ୍, ବିଜୟଙ୍କୁ କଲା ସମର୍ଥନ
ତାମିଲନାଡୁ ରାଜନୀତିରେ ଏହା ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। କଂଗ୍ରେସ ପୂର୍ବରୁ DMK ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏବେ DMK ର ହାତ ଛାଡ଼ି କଂଗ୍ରେସର ୫ ବିଧାୟକ ବିଜୟଙ୍କୁ ସମର୍ଥନ ଦେଇଛନ୍ତି। ସେହିଭଳି ବାମଦଳ ମଧ୍ୟ ବିଜୟଙ୍କ ସହ ହାତ ମିଳାଇଛନ୍ତି।
ବିଜୟଙ୍କ କ୍ୟାବିନେଟ୍ରେ କିଏ କିଏ ପାଇବେ ସ୍ଥାନ?
ସୂଚନା ଅନୁଯାୟୀ, ରବିବାର ବିଜୟଙ୍କ ସହ ଆଉ ୯ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇପାରନ୍ତି। ସେଥିମଧ୍ୟରୁ TVK ରୁ ୬ ଜଣ ଏବଂ କଂଗ୍ରେସରୁ ୩ ଜଣ ମନ୍ତ୍ରୀ ହେବାର ସମ୍ଭାବନା ରହିଛି। TVK ରୁ ସେଙ୍ଗୋତ୍ତିଆନ, ଅଧଭ ଅର୍ଜୁନ, ଏନ. ଆନନ୍ଦ, ଅରୁଣ ରାଜ, ନିର୍ମଳ କୁମାର ଏବଂ ରାଜମୋହନ ମନ୍ତ୍ରୀ ହୋଇପାରନ୍ତି।
ଶପଥ ଗ୍ରହଣ ସମୟରେ ପରିବର୍ତ୍ତନ
ପୂର୍ବରୁ ଶପଥ ଗ୍ରହଣ ଉତ୍ସବ ରବିବାର ଅପରାହ୍ନ ୩.୧୫ରେ ହେବାର ଥିଲା। କିନ୍ତୁ ଶେଷ ମହୂର୍ତ୍ତରେ ଏଥିରେ ପରିବର୍ତ୍ତନ କରାଯାଇଛି। ବିଜୟ ଏବେ ରବିବାର ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ୩ ବର୍ଷ ତଳେ ଗଠିତ ଏହି ଦଳ ଏତେ କମ୍ ସମୟ ମଧ୍ୟରେ ସତ୍ତାକୁ ଆସିବା ତାମିଲନାଡୁ ଇତିହାସରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।