ଢାକାର ଶେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ବାଂଲାଦେଶ ଓ ପାକିସ୍ତାନ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଏକ ବଡ଼ ଭୁଲ ଦେଖିବାକୁ ମିଳିଥିଲା । ଲାଇଭ ଟେଲିକାଷ୍ଟ ସମୟରେ ଆୟୋଜକଙ୍କ ଦ୍ୱାରା ଏକ ତ୍ରୁଟି ହୋଇଥିଲା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟରେ ପାକିସ୍ତାନର ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା ଓ ଭାରତୀୟ ଦଳର ଅନ୍ୟ ୧୦ ଖେଳାଳି ମଧ୍ୟ ପାକିସ୍ତାନ ଦଳରେ ଖେଳୁଥିବାର ଭିଡିଓ ଭାଇରାଲ ହୋଇଛି।
କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ପାକିସ୍ତାନ ଓ ବାଂଲାଦେଶ ମ୍ୟାଚ ସମୟରେ ଲାଇଭ ଟେଲିକାଷ୍ଟ କରୁଥିବା ଟିମ ଦ୍ୱାରା ଏକ ବଡ ତ୍ରୁଟି ହୋଇଥିବା ଦେଖିବାକୁ ମିଳିଛି । ମ୍ୟାଚ ଆରମ୍ଭ ହେବା ପରେ ପାକିସ୍ତାନ ପ୍ଲେଇଂ ୧୧ ରେ ଭୁଲବଶତଃ ଭାରତୀୟ ଖେଳାଳିଙ୍କ ନାମ ଥିବା ଦେଖିବାକୁ ମିଳିଛି । ଟିଭି ସ୍କ୍ରିନରେ ଫ୍ୟାନ୍ସ ମ୍ୟାଚ ଦେଖୁଥିବାବେଳେ ହଠାତ୍ ରୋହିତ ଶର୍ମା ଓ ଭାରତର ଅନ୍ୟ ଖେଳାଳିଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ରୋହିତ ଶର୍ମାଙ୍କ ବ୍ୟତୀତ, ଏହି ଗ୍ରାଫିକ୍ସରେ ଶୁଭମନ ଗିଲ, ତିଲକ ବର୍ମା, ଶିବମ ଦୁବେ, ଜୀତେଶ ଶର୍ମା, ରିଙ୍କୁ ସିଂ, ଅକ୍ସର ପଟେଲ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ଓ ମୁକେଶ କୁମାରଙ୍କ ନାମ ରହିଥିଲା । ତୁରନ୍ତ ତ୍ରୁଟିକୁ ଦେଖି ଏହାକୁ ବଦଳାଇଥିଲେ ଲାଇଭ ଟେଲିକାଷ୍ଟ କରୁଥିବା ଟିମ, କିନ୍ତୁ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ପାକିସ୍ତାନ ପୂର୍ବରୁ ମଧ୍ୟ କିଛି ଏଭଳି ସ୍ଥିତି ଉତ୍ପନ୍ନ କରି ଲଜ୍ଜିତ ହୋଇଛି । ୨୨ ଫେବୃଆରୀ ୨୦୨୫ ରେ ଲାହୋର, ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ଖେଳାଯାଉଥିଲା । ଏହି ମ୍ୟାଚ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବାବେଳେ ମ୍ୟାଚ ପୂର୍ବରୁ ହେବାକୁ ଥିବା ଜାତୀୟ ସଂଗୀତ ଗାନ ସମୟରେ ଭୁଲବଶତଃ ପାକିସ୍ତାନୀ ଡିଜେ ଭାରତୀୟ ଜାତୀୟ ସଂଗୀତ ବଜାଇ ଦେଇଥିଲେ । ସେହି ସମୟରେ ପାକିସ୍ତାନ କ୍ରିକେଟ ବୋର୍ଡକୁ ଲଜ୍ଜିତ ହେବାକୁ ପଡିଥିଲା।