ସୂର୍ଯ୍ୟକୁମାର ଯାଦବଙ୍କ ପ୍ରତିନିଧିତ୍ଵରେ ଭାରତ ୨୦୨୬ ଟି-୨୦ ବିଶ୍ୱକପ ଜିତିଥିଲା, କିନ୍ତୁ ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବଙ୍କ ଫର୍ମକୁ ନଜରରେ ରଖି ଭାରତୀୟ ଦଳରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । ବର୍ତ୍ତମାନ ଶ୍ରେୟସ ଆୟରଙ୍କୁ ଭାରତୀୟ ଦଳର ଅଧିନାୟକ ରୂପେ ଚୟନ କରାଯିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏକ ନୂଆ ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଭାରତୀୟ ଦଳର ନୂଆ ଅଧିନାୟକ ରୂପେ ଚୟନ କରାଯାଇପାରେ ।
ଆଇପିଏଲ ପରେ ଭାରତୀୟ ଦଳ ଜୁନ-ଜୁଲାଇରେ ଇଂଲଣ୍ଡ ଓ ଆୟାରଲ୍ୟାଣ୍ଡ ଗସ୍ତରେ ଯିବ । ଚଳିତ ଆଇପିଏଲରେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇଂଲଣ୍ଡ ଓ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯିବ ଓ ଏହି ଆଧାରରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି । ଅନ୍ୟପଟେ ସଞ୍ଜୁ ସାମସନ ଓ ଶ୍ରେୟସ ଆୟର ଚଳିତ ସିଜିନରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କିନ୍ତୁ ସଞ୍ଜୁ ସାମସନ ଦୀର୍ଘ ସମୟ ଧରି ଭାରତୀୟ ଦଳର ଅଂଶ ରହିଥିବାରୁ ତାଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇପାରେ ବୋଲି ଖବର ସାମ୍ନାକୁ ଆସିଛି ।
ସଞ୍ଜୁ ୨୦୨୪ ଟି-୨୦ ବିଶ୍ୱକପରୁ ଭାରତୀୟ ଦଳ ସହିତ ଅଛନ୍ତି ଓ ଲଗାତାର ଭାବେ ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରମାଣିତ ମଧ୍ୟ କରିଛନ୍ତି । ସେ ୬୨ ଟି ମ୍ୟାଚରେ ୧୩୯୯ ରନ ସଂଗ୍ରହ କରିଛନ୍ତି, ଯେଉଁଥିରେ ୩ ଟି ଶତକ ଓ ୬ ଟି ଅର୍ଦ୍ଧଶତକ ସାମିଲ ରହିଛି । ଚଳିତ ଟି-୨୦ ବିଶ୍ୱକପ ଭାରତ ଜିତିବାରେ ସଞ୍ଜୁ ସାମସନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ବ୍ୟକ୍ତିଗତ ପ୍ରଦର୍ଶନ ସହ ସଞ୍ଜୁ ପୂର୍ବରୁ ରାଜସ୍ଥାନ ରୟାଲ୍ସ ପାଇଁ ପ୍ରତିନିଧିତ୍ଵ ମଧ୍ୟ କରିସାରିଛନ୍ତି, ତେଣୁ ସଞ୍ଜୁ ସାମସନ କ୍ୟାପିଟେନ୍ସି ଦୌଡ଼ରେ ସାମାନ୍ୟ ଆଗରେ ରହିପାରନ୍ତି ।