ଚଳିତ ଅକ୍ଟୋବରରୁ ଆଗାମୀ ତିନି ବର୍ଷ ପାଇଁ ମେଲବର୍ନ କ୍ରିକେଟ କ୍ଲବ (MCC) ର ପରବର୍ତ୍ତୀ ସଭାପତି ହେବାକୁ ଯାଉଛନ୍ତି ଦି ହଣ୍ଡ୍ରେଡ୍ ଫ୍ରାଞ୍ଚାଇଜି ଲଣ୍ଡନ ସ୍ପିରିଟର ଅଧ୍ୟକ୍ଷ ଜୁଲିଆନ ମେଥେରେଲ୍ । ବର୍ତ୍ତମାନ ମେଲବର୍ନ କ୍ରିକେଟ କ୍ଲବ (MCC) ର ସଭାପତି ଅଛନ୍ତି ଇଂଲଣ୍ଡର ପୂର୍ବତ୍ତନ ବ୍ୟାଟ୍ସମ୍ୟାନ ଏଡ଼ ସ୍ମିଥ। ଜୁଲିଆନ ମେଥେରେଲ୍ ଗତ ୪୦ ବର୍ଷ ଧରି ମେଲବର୍ନ କ୍ରିକେଟ କ୍ଲବର ସଦସ୍ୟ ଅଛନ୍ତି । ୨୦୨୫ ଏଜିଏମରେ ସଦସ୍ୟଙ୍କ ଅନୁମୋଦନ କ୍ରମେ ସେ ଏହି କମିଟିରେ ଯୋଗ ଦେଇଛନ୍ତି ଓ ସ୍ମିଥ ତାଙ୍କୁ ନୂତନ ଅଧ୍ୟକ୍ଷ ରୂପେ ମନୋନୀତ ମଧ୍ୟ କରିଛନ୍ତି।
୧୭୮୭ ମସିହାରେ ସ୍ଥାପିତ ମେଲବର୍ନ କ୍ରିକେଟ କ୍ଲବ ହେଉଛି ବହୁ ପ୍ରତିଷ୍ଠିତ ଲର୍ଡସ କ୍ରିକେଟ ଗ୍ରାଉଣ୍ଡର ମାଲିକ । ଏହା ସହ ମେଲବର୍ନ କ୍ରିକେଟ କ୍ଲବ, କ୍ରିକେଟ ନିୟମର ସୁପରିଚାଳନା ଦିଗରେ ମଧ୍ୟ କାର୍ଯ୍ୟରତ । ମେଥେରେଲ୍ କହିଛନ୍ତି, "MCC ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମୋ ପାଇଁ ଗର୍ବର ବିଷୟ । ପୂର୍ବରୁ ଅନେକ କ୍ରିକେଟ ଆଇକନ ଏହି ପଦବୀରେ କାର୍ଯ୍ୟଭାର ସମ୍ଭାଳିଛନ୍ତି, ମୁଁ ସେହି ରାସ୍ତାକୁ ଅନୁସରଣ କରିବାକୁ ଚେଷ୍ଟା କରିବି। ମୋର MCC ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରହିଛି ଓ ଲର୍ଡସରେ ମୋର ଅନେକ ସ୍ମୃତି ରହିଛି ଯାହା ମୋ ପାଇଁ ସ୍ମରଣୀୟ ।"