ଭାରତକୁ ୨୦୨୬ ଟି-୨୦ ବିଶ୍ୱକପ ଜିତାଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନିଜ କ୍ୟାପିଟେନ୍ସି ପଦବୀ ହରାଇ ପାରନ୍ତି । ତାଙ୍କ ଖରାପ ଫର୍ମ ପାଇଁ ତାଙ୍କୁ ଦଳରୁ ବାଦ ଦିଆଯିବାର ଖବର ଶୁଣିବାକୁ ମିଳୁଛି । ସୂର୍ଯ୍ୟକୁମାରଙ୍କ ସ୍ଥାନରେ ଚୟନକର୍ତ୍ତା ଶ୍ରେୟସ ଆୟରଙ୍କୁ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରିବାକୁ ଚିନ୍ତା କରୁଥିବା ଖବରକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
ଏକ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ ଶ୍ରେୟର ଆୟାର ଭାରତର ଟି-୨୦ ଦଳର ଅଧିନାୟକ ହୋଇପାରନ୍ତି । ଚଳିତ ଆଇପିଏଲ ପରେ ଭାରତୀୟ ଚୟନକର୍ତ୍ତା ଟି-୨୦ ଦଳରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବା ସହ ଦଳର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ମଧ୍ୟ ବାଦ ଦେଇପାରନ୍ତି । ସୂର୍ଯ୍ୟକୁମାରଙ୍କ କ୍ରମାଗତ ଖରାପ ପ୍ରଦର୍ଶନ ଚୟନ କମିଟି ପାଇଁ ଚିନ୍ତାର ବିଷୟ ପାଲଟିଛି । ଆଗାମୀ ଟି-୨୦ ବିଶ୍ୱକପ ପାଇଁ ଚୟନ କମିଟି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଆଇପିଏଲ ପରେ ଭାରତ ଆୟାରଲ୍ୟାଣ୍ଡ ଗସ୍ତ କରିବ । ଏହି ସିରିଜରେ ଆୟର ଭାରତୀୟ ଦଳକୁ ଫେରିବା ସହ ଅଧିନାୟକ ଭୂମିକାରେ ମଧ୍ୟ ଦେଖିବାକୁ ମିଳିବେ ।
ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟକୁମାରଙ୍କ କ୍ୟାପିଟେନ୍ସିର ସମୟ ଶେଷ ହୋଇଯାଇଛି, ଏବେ ସେ କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବେ ଦଳରେ ସୁଯୋଗ ପାଉଛନ୍ତି ନା ନାହିଁ ତାହା ମଧ୍ୟ କହିବ କଷ୍ଟକର । ତେବେ ସୂର୍ଯ୍ୟକୁମାର ଆଗାମୀ ଦୁଇ ବର୍ଷା ପର୍ଯ୍ୟନ୍ତ ଦଳର ଅଧିନାୟକ ଭାବେ ରହିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି କିନ୍ତୁ ତାଙ୍କ ଖରାପ ଫର୍ମ ତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଶ୍ରେୟର ଆୟର ବର୍ତ୍ତମାନ ଭାରତୀୟ ଦଳର ଅଂଶ ନାହାନ୍ତି । ଦୀର୍ଘ ସମୟ ଧରି ଟି-୨୦ ଦଳରୁ ବାଦ ପଡିଛନ୍ତି ଆୟର । ଯଦି ତାଙ୍କୁ ଦଳର ଅଧିନାୟକ ରୂପେ କମ୍-ବ୍ୟାକ୍ କରିବାର ସୁଯୋଗ ମିଳେ ତେବେ ଏହା ପଛର କାରଣ ହେଉଛି ଆଇପିଏଲରେ ତାଙ୍କର ଚମତ୍କାର କ୍ୟାପିଟେନ୍ସିର ପ୍ରଦର୍ଶନ । ଶ୍ରେୟର ଆୟରଙ୍କ ପ୍ରତିନିଧିତ୍ଵରେ ଦିଲ୍ଲୀ ୨୦୨୦ ରେ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା । ଏହା ପରେ ୨୦୨୪ ରେ କୋଲକାତାର ଅଧିନାୟକ ରୂପେ ଆୟର କୋଲକାତାକୁ ଚାମ୍ପିଅନ କରାଇଥିଲେ । ୨୦୨୫ ଆଇପିଏଲ ସିଜିନରେ ପଞ୍ଜାବ ୧୦ ବର୍ଷ ପରେ ଫାଇନାଲରେ ପ୍ରବେଶ କରିଥିଲା । ଚଳିତ ବର୍ଷ ମଧ୍ୟ ପଞ୍ଜାବ ଚମତ୍କାର ପ୍ରଦର୍ଶନ ଜାରି ରଖିଛି ।