ବିରାଟ କୋହଲିଙ୍କୁ ଆଉଟ କରିବା ସବୁ ବୋଲରଙ୍କ ସ୍ୱପ୍ନ । ତାଙ୍କ ପ୍ରତିଦ୍ୱନ୍ଦୀ ଟିମର ସବୁ ବୋଲର ଚାହାନ୍ତି ବିରାଟଙ୍କ ୱିକେଟ୍ ନେବା ପାଇଁ । କିନ୍ତୁ ସମସ୍ତେ ଜାଣିଛନ୍ତି ବିରାଟଙ୍କ ୱିକେଟ୍ ନେବା ଏତେ ସହଜ ନୁହେଁ । ବିରାଟ ଜଣେ ଚତୁର ଖେଳାଳି, ଯିଏକି ବୋଲରଙ୍କ ଉପରେ ଭାରି ପଡନ୍ତି । କିନ୍ତୁ ପ୍ରିନ୍ସ ଯାଦବ ବିରାଟଙ୍କୁ ତାଙ୍କ ଜାଲରେ ଫସାଇଛନ୍ତି, ବିରାଟଙ୍କ ଠାରୁ ପରାମର୍ଶ ନେଇ ବିରାଟଙ୍କ ବିରୋଧରେ ସେହି ରଣନୀତି ବ୍ୟବହାର କରି ବିରାଟଙ୍କୁ ଆଉଟ କରିଛନ୍ତି ।
ଆଇପିଏଲ ୨୦୨୬ ର ୫୦ ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ପ୍ରିନ୍ସ ଯାଦବ, ବିରାଟ କୋହଲିଙ୍କୁ ଖାତା ଖୋଲିବାକୁ ଦେଇନଥିଲେ । ଦ୍ଵିତୀୟ ବଲରେ ବିରାଟଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ ପ୍ରିନ୍ସ । ପ୍ରିନ୍ସ ଯାଦବ ବିରାଟଙ୍କୁ ସେଇ ବଲରେ ଆଉଟ କରିଥିଲେ ଯାହା ବିଷୟରେ ବିରାଟ ତାଙ୍କୁ କହିଥିଲେ ।
ଦ୍ଵିତୀୟ ଇନିଂସର ଦ୍ଵିତୀୟ ଓଭର ବୋଲିଂ କରିବାକୁ ଆସିଥିଲେ ପ୍ରିନ୍ସ ଯାଦବ । ଏହି ସମୟରେ ଷ୍ଟ୍ରାଇକରେ ଥିଲେ ବିରାଟ, ପ୍ରିନ୍ସ ଚତୁରତାର ସହ ପ୍ରଥମ ବଲ ଟି ଆଉଟ-ସୁଇଙ୍ଗ ବଲ ପକାଇଥିଲେ ଓ ପ୍ରଥମ ବଲ ମିସ କରିଥିଲେ ବିରାଟ। ଏହାର ପରବର୍ତ୍ତୀ ବଲ ସେ ଇନ-ସୁଇଙ୍ଗ ବଲ ଟି ପକାଇଥିଲେ ଓ ବଲ ଟିକୁ ପଢିବାରେ ଅସଫଳ ହୋଇଥିଲେ ବିରାଟ, ଯାହାଫଳରେ କ୍ଲିନ ବୋଲ୍ଡ ହୋଇଥିଲେ ।
ପ୍ରିନ୍ସ ଯାଦବ କହିଥିଲେ, "ପୂର୍ବ ମ୍ୟାଚରେ ବିରାଟ ଭାଇଙ୍କ ସହ ବୋଲିଂ କୁ ନେଇ ଆଲୋଚନା କରୁଥିଲି । ସେ ମତେ କହିଥିଲେ କି ଯଦି ବଲ ଅଫଷ୍ଟମ୍ପ ଲାଇନରେ ଗତି ପରିବର୍ତ୍ତନ କରୁଛି ତେବେ ସେହି ଲାଇନରେ ବଲ ପକାଇବା ଦରକାର ।"
ଏହା ସହ ଲକ୍ଷ୍ନୌ ନିଜ ଘରୋଇ ମୈଦାନରେ ଆରସିବିକୁ ୯ ରନରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୯ ଓଭରରେ ୩ ୱିକେଟ୍ ହରାଇ ୨୦୯ ରନ ସଂଗ୍ରହ କରିଥିଲା । ବର୍ଷା ପାଇଁ ମ୍ୟାଚକୁ ୧୯ ଓଭରର କରଯାଇଥିଲା ଓ ୨୧୩ ରନର ଟାର୍ଗେଟ ଦିଆଯାଇଥିଲା । ଆରସିବି ୧୯ ଓଭରରେ ୬ ୱିକେଟ୍ ହରାଇ ୨୦୩ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚରେ ଶତକ ହାସଲ କରିଥିବା ମିଚିଲ ମାର୍ଶଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା । ପ୍ରିନ୍ସ ଯାଦବ ୩ ଟି ୱିକେଟ୍ ଓ ସହବାଜ ଅହମଦ ୩ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ।