ଚଳିତ ସିଜିନ ଆରମ୍ଭରୁ କୋଲକାତା ନାଇଟ ରାଇଡ଼ର୍ସ ଲଗାତାର ପରାଜୟ ପରେ କମ୍-ବ୍ୟାକ୍ କରିଛି । ଲଗାତାର ୪ ଟି ମ୍ୟାଚରେ ବିଜୟ ହାସଲ କରି କୋଲକାତା ପ୍ଲେଅଫ ଦୌଡ଼କୁ ରୋମାଞ୍ଚକର କରିଛି । କୋଲକାତା ନାଇଟ ରାଇଡ଼ର୍ସ ଶୁକ୍ରବାର ଦିଲ୍ଲୀର ଘରୋଇ ମୈଦାନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ୱିକେଟ୍ ରେ ପରାସ୍ତ କରିଛି । ଏହି ବିଜୟ ସହ କୋଲକାତା ଆଇପିଏଲ ୨୦୨୬ ର ପ୍ଲେଅଫ ଦୌଡରେ ମଧ୍ୟ ଜୀବିତ ରହିଛି ।
ଏହି ବିଜୟ ସହ ଅଜିଙ୍କ୍ୟା ରାହାଣେଙ୍କ ନେତୃତ୍ୱାଧୀନ କୋଲକାତା ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ପହଞ୍ଚିଛି । କୋଲକାତା ୧୦ ଟି ମ୍ୟାଚ ଖେଳିଥିବାବେଳେ ୪ ଟି ମ୍ୟାଚରେ ବିଜୟ ହାସଲ କରିଛି । ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ପାଇଁ ରଦ୍ଦ ହେବାରୁ ପଏଣ୍ଟ ଭାଗ କରାଯାଇଥିଲା, ଯାହାଫଳରେ କୋଲକାତା ୯ ପଏଣ୍ଟ ହାସଲ କରିଛି । ପ୍ରଥମ ୬ ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚ ଜିତି ନଥିବାବେଳେ ନିଜର ସପ୍ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା କୋଲକାତା । ଏହା ପରେ ପଛକୁ ଫେରି ଚାହିଁନଥିଲା କୋଲକାତା, ଲଗାତାର ୪ ଟି ମ୍ୟାଚରେ ବିଜୟ ହାସଲ କରିଛି ଓ ବର୍ତ୍ତମାନ ପ୍ଲେଅଫରେ ପହଞ୍ଚିବା ପାଇଁ ମଧ୍ୟ ପ୍ରସ୍ତୁତି ଜାରି ରଖିଛି ।
କୋଲକାତାକୁ ପ୍ଲେଅଫରେ ପହଞ୍ଚିବାକୁ ହେଲେ ବଳକା ୪ ଟି ମ୍ୟାଚରୁ ୪ ଟି ଯାକ ମ୍ୟାଚ ଜିତିବାକୁ ହେବ । ଯଦି ସେ ୪ ଟି ମ୍ୟାଚ ଜିତେ ତେବେ ୧୭ ପଏଣ୍ଟରେ ପହଞ୍ଚିବ । ଯାହାଫଳରେ ପ୍ଲେଅଫରେ ପହଞ୍ଚିବା ସହଜ ହେବ । ଯଦି ୩ ଟି ବିଜୟ ହାସଲ କରେ ତେବେ ୧୫ ପଏଣ୍ଟରେ ପହଞ୍ଚିବ ଓ ଅନ୍ୟ ଦଳର ପଏଣ୍ଟ ଉପରେ ନିର୍ଭର ହେବାକୁ ପଡିବ ।
ଦିଲ୍ଲୀ କ୍ୟାପିଟାଲ୍ସ ଚଳିତ ସିଜିନରେ ଯେଉଁଭଳି ଆରମ୍ଭ କରିଥିଲା ସେହିଭଳି ପ୍ରଦର୍ଶନ ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟରେ କରିବାରେ ବିଫଳ ହୋଇଛି । ୧୧ ଟି ମ୍ୟାଚରୁ ୪ ଟି ବିଜୟ ସହ ୮ ପଏଣ୍ଟ ହାସଲ କରିଛି ଦିଲ୍ଲୀ । ବର୍ତ୍ତମାନ ଦିଲ୍ଲୀର ସ୍ତିତି ଅନୁଯାୟୀ ଦିଲ୍ଲୀ ୧୪ ପଏଣ୍ଟରେ ପହଞ୍ଚିବ ଓ ୧୪ ପଏଣ୍ଟ ସହ ପ୍ଲେଅଫରେ ପହଞ୍ଚିବା କଷ୍ଟକର । ତେଣୁ ଦିଲ୍ଲୀ ପ୍ଲେଅଫ ଦୌଡ଼ରୁ ବାଦ ପଡିଛି କହିଲେ ଭୁଲ ହେବ ନାହିଁ ।
ସେହିଭଳି ମୁମ୍ବାଇ ଓ ଲକ୍ଷ୍ନୌ ପାଇଁ ପ୍ଲେଅଫରେ ଯୋଗ୍ୟତା ଅର୍ଜନ କରିବା କଷ୍ଟକର ବିଷୟ । ବର୍ତ୍ତମାନର ଦୁଇ ଦଳର ସ୍ତିତି ଓ ପ୍ରଦର୍ଶନ ଅନୁଯାୟୀ ପ୍ଲେଅଫରେ ପହଞ୍ଚିବାକୁ ହେଲେ ଦୁଇ ଦଳକୁ ବଳକା ୪ ଟି ମ୍ୟାଚ ଜିତିବାକୁ ହେବ ଓ ଶେଷ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।
ଅନ୍ୟପଟେ ହାଇଦ୍ରାବାଦ, ପଞ୍ଜାବ, ବେଙ୍ଗାଲୁରୁ, ରାଜସ୍ଥାନ, ଗୁଜୁରାଟ ଓ ଚେନ୍ନାଇ ଟପ୍-୪ ରେ ପହଁଚିବା ପାଇଁ ସଂଘର୍ଷ କରୁଛନ୍ତି । ଏହି ୬ ଟି ଦଳର ପଏଣ୍ଟ ପାଖାପାଖି ସମାନ ଥିବାବେଳେ ପ୍ରତିଟି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ତେଣୁ ବର୍ତ୍ତମାନ ଠାରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର ଶେଷ ମ୍ୟାଚ ବେଶ ରୋମାଞ୍ଚକର ହେବ, କେଉଁ ୪ ଟି ଦଳ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବେ ତାହା ଦେଖିବା ରୋମାଞ୍ଚକର ହେବ।