ଭାରତୀୟ କ୍ରିକେଟ ଦଳର କୋଚିଂ କମିଟିରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଗୌତମ ଗମ୍ଭୀରଙ୍କ ସହିତ ଆଉ ଏକ କୋଚ ଟିମ ଇଣ୍ଡିଆ ସହ ଯୋଡି ହେବାକୁ ଯାଉଛନ୍ତି । ସାଇରାଜ ବହୁତୁଲେ ଭାରତୀୟ ଦଳର ସ୍ପିନ ବୋଲିଂ କୋଚ ଭାବେ ଦଳ ସହ ଯୋଗ ଦେଇପାରନ୍ତି । ସାଇରାଜ ବହୁତୁଲେ ପୂର୍ବରୁ ମଧ୍ୟ ଭାରତୀୟ ଦଳ ସହିତ କାମ କରିସାରିଛନ୍ତି କିନ୍ତୁ କେବେବି ସେ ସ୍ଥାୟୀ କୋଚ ରୂପେ ଦଳରେ ସାମିଲ ହୋଇନାହାନ୍ତି ।
ହେଡ଼ କୋଚ ଗମ୍ଭୀର ମଧ୍ୟ ସାଇରାଜ ବହୁତୁଲେଙ୍କ ସହ କାମ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେଣୁ ଏଥିପାଇଁ ସେ ସାଇରାଜ ବହୁତୁଲେଙ୍କୁ ବୋଲିଂ କୋଚ ଭାବେ ଦଳରେ ସାମିଲ କରିବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ହେଡ଼ କୋଚ ଗୌତମ ଗମ୍ଭୀରଙ୍କ ବ୍ୟତୀତ ବ୍ୟାଟିଂ କୋଚ ସୀତାଂଶୁ କୋଟାକ, ଦ୍ରୁତ ବୋଲିଂ କୋଚ ମର୍ଣ୍ଣି ମୋର୍କେଲ, ଫିଲଡିଂ କୋଚ ଟି ଦିଲ୍ଲୀପ ଓ ଆସିଷ୍ଟାଣ୍ଟ କୋଚ ରାୟନ ଟେନ ଡ଼ସକାଟେ ଭାରତୀୟ ଦଳରେ ସାମିଲ ଅଛନ୍ତି । ଦଳରେ କୌଣସି ସ୍ପିନ ବୋଲିଂ କୋଚ ନଥିବାରୁ ସାଇରାଜ ବହୁତୁଲେଙ୍କୁ ଦଳରେ ସାମିଲ କରାଯାଇପାରେ ।
ସାଇରାଜ ବହୁତୁଲେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ ସହିତ ସ୍ପିନ ବୋଲିଂ କୋଚ ଭାବେ ସାମିଲ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଖୁବଶୀଘ୍ର ସେ ଫ୍ରାଞ୍ଚାଇଜି ଠାରୁ ଅଲଗା ହୋଇପାରନ୍ତି । ଏହାରି ଭିତରେ ସେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି ।
ସାଇରାଜ ବହୁତୁଲେ ଭାରତ ପାଇଁ କ୍ରିକେଟ ମଧ୍ୟ ଖେଳିଛନ୍ତି । ସେ ୨ ଟି ଟେଷ୍ଟ ମ୍ୟାଚ ଖେଳି ୩ ଟି ୱିକେଟ୍ ନେଇଛନ୍ତି । ଏହା ସହ ସେ ୮ ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ୨ ଟି ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ୧୮୮ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି ସାଇରାଜ ଓ ୬୧୭୬ ରନ ସଂଗ୍ରହ କରିବା ସହ ୬୩୦ ଟି ୱିକେଟ୍ ନେଇଛନ୍ତି ସାଇରାଜ । ୧୪୩ ଟି ଲିଷ୍ଟ-ଏ ମ୍ୟାଚ ଖେଳି ୧୩୬୭ ରନ ଓ ୧୯୭ ୱିକେଟ୍ ହାସଲ କରିଛନ୍ତି ସାଇରାଜ।