ରାୟଗଡା ସହରରେ ଯୁବକଙ୍କୁ ଅପହରଣ କରାଯାଇଛି । ବନ୍ଧୁକ ଲଗାଇ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ରାୟଗଡା ସହରର ଇନ୍ଦିରା ନଗରରେ ଏଭଳି ଘଟଣା ଘଟିଛି । ଗୁଳି ଫୁଟାଇ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ଉଠାଇ ନେଇଛନ୍ତି । ଅପହରଣ କରାଯାଇଥିବା ଯୁବକଙ୍କ ନାମ ନିଖିଲ ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଅପହରଣ ହୋଇଥିବା ସନ୍ଦେହ କରାଯାଉଛି । ରାତି ପ୍ରାୟ ୧୦ ଟା ସମୟରେ ଏହି ଅପହରଣ ହୋଇଥିଲା । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ କରୁଛି ।
ଶନିବାର ରାତିରେ କିଛି ଦୁର୍ବୁତ୍ତ ଗୋଟିଏ ବୁଲେଟ ଓ ଚାରିଚକିଆ ଗାଡିରେ ନିଖିଲଙ୍କୁ ପିଛା କରୁଥିଲେ । ଏହା ପରେ ତାଙ୍କ ଭିତରେ ବଚସା ହୋଇଥିଲା । ଦୁର୍ବୁତ୍ତ ମାନେ ଗୁଳିକାଣ୍ଡ କରିବାରୁ ନିଖିଲ ଭୟବିତ୍ତ ହୋଇ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ନିଖିଲ ଜଣଙ୍କ ଘରେ ପଶିବାକୁ ଚେଷ୍ଟା କରୁଥିବାବେଳେ ଦୁର୍ବୁତ୍ତ ମାନେ ତାଙ୍କୁ ଅପହରଣ କରି ରିଙ୍ଗ ରୋଡ଼ ଦେଇ ଚାଲିଯାଇଥିଲେ । ଖବର ପାଇ ରାୟଗଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣା ତଦନ୍ତ ଆରମ୍ଭ କରିଥିବାଳେ ଗୁଳିକାଣ୍ଡ ହୋଇନଥିବା ସୂଚନା ଦେଇଛି ଟାଉନ ଥାନା ପୋଲିସ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।