ଭୁବନେଶ୍ୱର ; ମାଆ ଶବ୍ଦର ତୁଳନା ନାହିଁ। କେଉଁଟା ଠିକ୍ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମାଆ। ଦୁନିଆର ପ୍ରଥମ ପ୍ରେମ,ସବୁଠାରୁ ମୂଲ୍ୟବାନ ବରଦାନ,ଏ ମାଟିରେ ଈଶ୍ୱରଙ୍କ କାହାଣୀ, ପ୍ରକୃତିର ସୌନ୍ଦର୍ଯ୍ୟରେ ପ୍ରଥମ ଉପହାର, କଣ୍ଟାଭରା ରାସ୍ତାରେ ଫୁଲର ଅନୁଭବ, ଖୁସିର ଅମାରରେ ପ୍ରେମର ଭଣ୍ଡାର ହେଉଛି ମାଆ। ପରିବାର ପ୍ରତି ତାର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଆଜିର ଦିନ ଟିଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।
ଆଜି ବିଶ୍ୱ ମାତୃ ଦିବସ ଅବସରରେ ସାରା ବିଶ୍ୱ ଆଜି ସେହି ମା’ଙ୍କ ସେବାରେ ଲାଗିପଡ଼ିଛି। ଆଧୁନିକତାର ଦୌଡ଼ରେ ଆଜିର ସମାଜ ପିତାମାତାଙ୍କ ପାଇଁ ବୃଦ୍ଧାଶ୍ରମ ଭଳି ଏକ ଘର ତୋଳିଥିବା ବେଳେ ଅନ୍ୟ କିଛି କର୍ତ୍ତବ୍ୟର ଉଦାହରଣ ଦେଇ ପିତାମାତାଙ୍କୁ ସସମ୍ମାନେ ଆଦର, ସ୍ନେହ କରୁଛନ୍ତି। ଏପରିକି ଆଜିର ଦିନକୁ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବେଶ ଧୂମଧାମରେ ପାଳନ କରାଯାଉଛି।
ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ। ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି।