ଭୁବନେଶ୍ୱର: ‘ନବୀନ ନିବାସ’ ସମ୍ମୁଖରୁ ହଟିବ ବ୍ୟାରିକେଡ୍ । ସରକାରୀ ସ୍ଥାନରେ ବିରୋଧୀ ଦଳ ନେତାଙ୍କ ବାସଭବନ ସମ୍ମୁଖରେ ବ୍ୟାରିକେଡକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ହାଇକୋର୍ଟଙ୍କ ଅସନ୍ତୋଷ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୂର୍ତ୍ତ ବିଭାଗ ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ଲୋଡ଼ିଛି ।
‘ନବୀନ ନିବାସ’ ସମ୍ମୁଖରେ ଅତିରିକ୍ତ ବ୍ୟାରିକେଡ୍ ହଟାଇବାକୁ ନେଇ ପ୍ରକାଶ ଚନ୍ଦ୍ର ଦାସ ନାମକ ଜଣେ ବ୍ୟକ୍ତି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ବ୍ୟାରିକେଡ୍ ଯୋଗୁଁ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଛି । ତେଣୁ ଅବରୋଧ ହଟାଇବାକୁ ଆବେଦନରେ ଅନୁରୋଧ କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଜିଏ ଆଣ୍ଡ୍ ପିଜି ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ବିଏମ୍ସି କମିଶନରଙ୍କ ସହ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। କୋର୍ଟ ଏହାକୁ ଗୁରୁତର ସହ ଗ୍ରହଣ କରି ଶୁଣାଣି କରିଛନ୍ତି । ଗତ ଫେବୃୟାରୀ ୩ ହାଇକୋର୍ଟ ଶୁଣାଣଇ କରି ଅସନ୍ତୋଷ ପ୍ରକାଶ କରିଥିଲେ। କ୍ଷେତ୍ର ପରିଦର୍ଶନ କରି ବ୍ୟାରିକେଡ୍ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ବିଭାଗ ପକ୍ଷରୁ ନବୀନ ନିବାସ ସମ୍ମୁଖରେ ସମ୍ମିଳିତ ଯାଞ୍ଚ କରାଯାଇଥିଲା । ଦୁଇଟି ସ୍ଥାନରେ ଲୁହା ବ୍ୟାରିକେଡ୍ ମାଧ୍ୟମରେ ଆବଦ୍ଧ କରି ରଖାଯାଇଛି ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ ପୂର୍ବକ ପୂର୍ତ୍ତ ବିଭାଗ ପକ୍ଷରୁ ଗୃହ ବିଭାଗକୁ ଚିଠି ଲେଖାଯାଇଛି । କମିଶନରେଟ୍ ପୋଲିସ ଓ ଟ୍ରାଫିକ୍ ପୋଲିସ ଡିସିପିଙ୍କ ସହ ଆଲୋଚନା କରି ବ୍ୟାରିକେଡ୍ ହଟାଇବା ଯିବ କି ନାହିଁ ମତାମତ ଲୋଡ଼ା ଯାଇଛି ।