ବେଙ୍ଗାଲୁରୁ: କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକର ବେଙ୍ଗାଲୁରୁଠାରେ 'ଦି ଆର୍ଟ ଅଫ୍ ଲିଭିଂ' ଫାଉଣ୍ଡେସନର ୪୫ତମ ବାର୍ଷିକୋତ୍ସବରେ ଯୋଗଦେବା ଅବସରରେ ପିଏମ ମୋଦୀ ବିରୋଧୀ ଦଳକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବିଶେଷ କରି ତାମିଲନାଡୁ ରାଜନୀତି ଏବଂ DMK-କଂଗ୍ରେସ ମେଣ୍ଟକୁ ନେଇ ସେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ଏକ 'ପରଜୀବୀ' ଦଳରେ ପରିଣତ ହୋଇଛି ଏବଂ କ୍ଷମତା ପାଇଁ ନିଜ ସହଯୋଗୀଙ୍କୁ ପ୍ରତାରଣା କରିବା ଏହାର ପୁରୁଣା ଅଭ୍ୟାସ।
DMK ର ପଛରେ ଛୁରୀ ମାରିଛି କଂଗ୍ରେସ
ତାମିଲନାଡୁର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଉପରେ ଟିପ୍ପଣୀ ରଖି ମୋଦୀ କହିଛନ୍ତି ଯେ, ଦୀର୍ଘ ୨୫-୩୦ ବର୍ଷ ଧରି କଂଗ୍ରେସ ଏବଂ DMK ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା। ୨୦୧୪ ପୂର୍ବରୁ କେନ୍ଦ୍ରରେ କଂଗ୍ରେସ ସରକାର କେବଳ DMK ର ସମର୍ଥନ ଯୋଗୁଁ ହିଁ ତିଷ୍ଠି ରହିଥିଲା। ମାତ୍ର ଆଜି ଯେତେବେଳେ ରାଜନୈତିକ ପରିସ୍ଥିତି ବଦଳିଛି, କଂଗ୍ରେସ ସେହି DMK ର ପଛରେ ଛୁରୀ ମାରିବାକୁ ପଛାଇ ନାହିଁ। ମୋଦୀ କହିଛନ୍ତି, ଏମିତି କେହି ସମ୍ପର୍କୀୟ ନାହିଁ, ଯାହାକୁ କଂଗ୍ରେସ ଠକି ନାହିଁ।
କଂଗ୍ରେସ ହେଉଛି ‘ମହିଳା ବିରୋଧୀ’
ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଦେଶର ସବୁଠାରୁ ବଡ଼ 'ମହିଳା ବିରୋଧୀ' ଦଳ ଭାବେ ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଜାଣିଶୁଣି ସଂସଦରେ 'ନାରୀ ଶକ୍ତି ବନ୍ଦନ' ସଂଶୋଧନକୁ ବିଫଳ କରିଛି। ଯଦି ଏହା ପାରିତ ହୋଇଥାନ୍ତା, ତେବେ କର୍ଣ୍ଣାଟକ ସମେତ ସାରା ଦେଶର ଅନେକ ମହିଳା ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇ ଦେଶ ଗଠନରେ ଭାଗିଦାର ହୋଇଥାନ୍ତେ। ଏହି "ପାପ" ପାଇଁ ଦେଶର ମହିଳାମାନେ କଂଗ୍ରେସକୁ କେବେବି କ୍ଷମା କରିବେ ନାହିଁ ବୋଲି ସେ କହିଛନ୍ତି।
କ୍ଷମତା ପାଇଁ ଆଭ୍ୟନ୍ତରୀଣ କନ୍ଦଳ
କର୍ଣ୍ଣାଟକ ଏବଂ କେରଳ ସରକାରଙ୍କୁ ଟାର୍ଗେଟ୍ କରି ମୋଦୀ କହିଛନ୍ତି ଯେ, ଏଠାରେ ସରକାର ଜନତାଙ୍କ ସମସ୍ୟା ବୁଝିବା ପରିବର୍ତ୍ତେ ନିଜ ନିଜ ଭିତରେ ଚେୟାର ପାଇଁ ଲଢ଼େଇ କରୁଛନ୍ତି। କିଏ କେତେ ଦିନ ମୁଖ୍ୟମନ୍ତ୍ରୀ ରହିବେ, ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଛତିଶଗଡ଼ ଏବଂ ରାଜସ୍ଥାନରେ ଯେଉଁ ପ୍ରତାରଣାର ଖେଳ ଖେଳାଯାଇଥିଲା, ଏବେ ତାହା କର୍ଣ୍ଣାଟକ ଏବଂ କେରଳରେ ଦେଖିବାକୁ ମିଳୁଛି।