ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ବିଜୟ ନିଜର ପ୍ରଥମ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି।ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଜନା ଫାଇଲ୍ରେ ସେ ପ୍ରଥମେ ସ୍ୱାକ୍ଷର କରିଛନ୍ତି। ସୁପରଷ୍ଟାରରୁ ଜନନେତା ପାଲଟିଥିବା ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ) ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବା ପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନିଜର ପ୍ରଥମ ସମ୍ବୋଧନରେ ସେ କେବଳ ଭାବୁକ ହୋଇନାହାନ୍ତି, ବରଂ ପ୍ରଶାସନିକ ସ୍ୱଚ୍ଛତା ଓ ଜନହିତକର ଯୋଜନାକୁ ନେଇ କଡ଼ା ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି।
"ମୁଁ ଜଣେ ସାଧାରଣ ମଣିଷ"
ନିଜ ସମ୍ବୋଧନରେ ବିଜୟ କହିଛନ୍ତି ଯେ, ସେ କୌଣସି ରାଜକୀୟ ପରିବାରରୁ ଆସିନାହାନ୍ତି। ଜଣେ ସାଧାରଣ ମଣିଷ ଭାବେ ଜନତା ତାଙ୍କୁ ଆପଣେଇଛନ୍ତି ଏବଂ ସେବା କରିବାର ସୁଯୋଗ ଦେଇଛନ୍ତି। ସେ କହିଛନ୍ତି, "ଏହି କ୍ଷମତା ଜନତାଙ୍କର, ଆଉ ମୁଁ କେବଳ ସେମାନଙ୍କର ସେବକ। ସରକାରୀ ଅର୍ଥର ପ୍ରତିଟି ପଇସାର ହିସାବ ରଖାଯିବ ଏବଂ କ୍ଷମତାର ଅପବ୍ୟବହାରକୁ କଦାପି ପ୍ରଶ୍ରୟ ଦିଆଯିବ ନାହିଁ।"
୨୦୦ ୟୁନିଟ୍ ମାଗଣା ବିଜୁଳି
ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ବିଜୟ ନିଜର ପ୍ରଥମ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଘରୋଇ ଗ୍ରାହକଙ୍କ ପାଇଁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଜନା ଫାଇଲ୍ରେ ସେ ପ୍ରଥମେ ସ୍ୱାକ୍ଷର କରିଛନ୍ତି। ଏହାସହ ମହିଳା ସୁରକ୍ଷା ଏବଂ ନିଶା ଦ୍ରବ୍ୟ ବିରୋଧରେ ଲଢ଼େଇ ପାଇଁ ଏକ ସ୍ୱତନ୍ତ୍ର ‘ଟାସ୍କ ଫୋର୍ସ’ ଗଠନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
୧୦ ଲକ୍ଷ କୋଟିର ଋଣ: ଶ୍ୱେତପତ୍ର ଜାରି ହେବ
ପୂର୍ବ ସରକାରଙ୍କୁ ଟାର୍ଗେଟ୍ କରି ବିଜୟ କହିଛନ୍ତି ଯେ, ରାଜ୍ୟ ଆଜି ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାର ଋଣ ବୋଝ ତଳେ ଦବି ରହିଛି। ଏହି ଆର୍ଥିକ ଅନିୟମିତତାକୁ ସର୍ବସାଧାରଣରେ ପ୍ରକାଶ କରିବା ପାଇଁ ଖୁବଶୀଘ୍ର ସରକାର ଏକ ‘ଶ୍ୱେତପତ୍ର’ ଜାରି କରିବେ। ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଆପଣାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ନିଶାମୁକ୍ତ ତାମିଲନାଡୁ ଓ ସାମାଜିକ ନ୍ୟାୟ
ରାଜ୍ୟରେ ବଢୁଥିବା ନିଶା କାରବାର ଉପରେ ରୋକ୍ ଲଗାଇବା ସହ ନିଶାଗ୍ରସ୍ତ ଯୁବପିଢ଼ିଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ପୁନର୍ବାସ କେନ୍ଦ୍ର ଉପରେ ଗୁରୁତ୍ୱ ଦିଆଯିବ। ବିଜୟଙ୍କ କହିବା ଅନୁସାରେ, ତାଙ୍କ ଶାସନରେ ପ୍ରକୃତ ‘ଧର୍ମନିରପେକ୍ଷତା’ ଏବଂ ‘ସାମାଜିକ ନ୍ୟାୟ’ ପ୍ରତିଫଳିତ ହେବ।
ତାମିଲନାଡୁର ଏହି ରାଜନୈତିକ ପରିବର୍ତ୍ତନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ସିନେ-ଷ୍ଟାରରୁ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜୟଙ୍କର ଏହି 'ଆକ୍ସନ ମୋଡ୍' ଜନତାଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି।