ଆମେରିକାରୁ କାନାଡାକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବାକୁ ଉଦ୍ୟମ ଚଲାଇଥିବା ଅଭିଯୋଗରେ ଜଣେ ପାକିସ୍ତାନୀ ନାଗରିକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ଆମେରିକା ପୋଲିସ । ଏକ କାର ଯୋଗେ ୮୯ ଟି ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିବାକୁ ଚେଷ୍ଟା ଚଳାଇଥିଲେ ଦୁର୍ବୁତ୍ତ । ୮୯ ଟି ଅସ୍ତ୍ରଶସ୍ତ୍ର ମଧ୍ୟରୁ ୧୭ ଟି ଅସ୍ତ୍ରଶସ୍ତ୍ର ଚୋରି କରି ଆଣିଥିବା ଜଣା ପଡିଛି । ଏହି ଘଟଣା ନ୍ୟୁୟର୍କ ସହରରେ ଗୁରୁବାର ଘଟିଥିଲା, ରାସ୍ତାରେ ଗାଡି ଚେକିଂ କରୁଥିବା ସମୟରେ ପୋଲିସ ଏକ ଗାଡିକୁ ପଚରାଉଚୁରା କରୁଥିଲେ। ଏହି ସମୟରେ ସନ୍ଦେହ ଉପୁଜିବାରୁ ପୋଲିସ ଗାଡିର ତଲାସି ଆରମ୍ଭ କରିଥିଲା।
ଦୁର୍ବୁତ୍ତ ଗାଡିର ପଛ ସିଟ ତଳେ ୮୯ ଟି ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ । ପୋଲିସ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ ମଧ୍ୟ କରିଛି । ଅଭିଯୁକ୍ତ ହେଉଛନ୍ତି ୨୨ ବର୍ଷୀୟ କାନାଡିଆନ ନାଗରିକ ମଲିକ ବ୍ରୋମଫିଲ୍ଡ, ୨୫ ବର୍ଷୀୟ ପାକିସ୍ତାନୀ ନାଗରିକ ଫୈଜାନ ଅଲି ଓ ୨୨ ବର୍ଷୀୟ କମଲ ସଲମାନ । ପରେ ତାଙ୍କୁ ମାଜିଷ୍ଟ୍ରେଟ ସମ୍ମୁଖରେ ହଜାର କରାଯାଇଥିଲା ଓ ସେମାନଙ୍କୁ ହେପାଜତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ଫୈଜାନ ଅଲିଙ୍କ ପାଖରେ ଅନ୍ୟ ଜଣଙ୍କ ନାମରେ ଜାରି ହୋଇଥିବା ଏକ ପାକିସ୍ତାନୀ ଡ୍ରାଇଭିଂ ପରମିଟ ଥିଲା ।