ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଶନିବାର ରାଜସ୍ଥାନ ରୟାଲ୍ସକୁ ୭୭ ରନରେ ପରାସ୍ତ କରିଛି ଗୁଜୁରାଟ ଟାଇଟନ୍ସ । ଏହି ସମୟରେ ରାଜସ୍ଥାନର ଅଧିନାୟକ ୟଶସ୍ଵୀ ଜେସୱାଲ ନିଜ ଖେଳାଳିଙ୍କୁ ଦୋଷ ଦେବା ପରିବର୍ତ୍ତେ ଗୁଜୁରାଟର ପ୍ରଶଂସା କରିଛନ୍ତି । ୟଶସ୍ଵୀ ଜେସୱାଲ କହିଛନ୍ତି "ଗୁଜୁରାଟର ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା କଷ୍ଟକର ଥିଲା । ରାଜସ୍ଥାନର ବୋଲର ଠିକ ଜାଗାରେ ବୋଲିଂ କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଗୁଜୁରାଟ ବହୁତ ଭଲ ବ୍ୟାଟିଂ କରିଥିଲା । ଆମେ ସମ୍ପୂର୍ଣ୍ଣ ଚେଷ୍ଟା କରୁଥିଲୁ ବାଉଣ୍ଡ୍ରି ଅଟକାଇବା ପାଇଁ, କିନ୍ତୁ ଏଥିରେ ଅସଫଳ ହୋଇଥିଲୁ ।"
ସାଇ ସୁଦର୍ଶନ ଓ ଶୁଭମନ ଗିଲଙ୍କ ଓପନିଂ ଭାଗିଦାରୀତା ବଳରେ ଗୁଜୁରାଟ ୪ ୱିକେଟ୍ ହରାଇ ୨୨୪ ରନ ସଂଗ୍ରହ କରିଥିଲେ । ଏହି ରନକୁ ଚେଜ କରିବାକୁ ଯାଇ ରାଜସ୍ଥାନ ୧୫୨ ରନରେ ଅଲ ଆଉଟ ହୋଇଥିଲା । ବୈଭବ ସୂର୍ଯ୍ୟବଂଶୀ ନିଜ ଅନ୍ଦାଜରେ ବ୍ୟାଟିଂ କରି ୧୬ ବଲରେ ୩୬ ରନ ସଂଗ୍ରହ କରିଥିଲେ ଓ ଧ୍ରୁବ ଯୁରେଲ ୧୦ ବଲରେ ୨୪ ରନ ସଂଗ୍ରହ କରିଥିଲେ । ରାଶିଦ ଖାନ ୪ ଟି ୱିକେଟ୍ ନେଇଥିବାବେଳେ ଜେସନ ହୋଲ୍ଡର ୩ ଟି ୱିକେଟ୍ ନେଇଥିଲେ । ଏହା ସହ ଗୁଜୁରାଟ ୭୭ ରନରେ ରାଜସ୍ଥାନକୁ ପରାସ୍ତ କରିଥିଲା ।
ମ୍ୟାଚ ପରେ ଦଳ ପାଇଁ ପ୍ରତିନିଧିତ୍ଵ କରୁଥିବା ୟଶସ୍ଵୀ ଜେସୱାଲ ନିଜ ବୋଲିଂ ୟୁନିଟକୁ ସୁରକ୍ଷା ପ୍ରଦାନ କରିଥିଲେ । ଜୋଫ୍ରା ଆର୍ଚ୍ଚରଙ୍କ ୧୮ ରନର ପ୍ରଥମ ଓଭରକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ୟଶସ୍ଵୀ ଜେସୱାଲ ଓ କହିଥିଲେ "କ୍ରିକେଟରେ ଏଭଳି ହୋଇଥାଏ । କିଛି ସମୟରେ ଏଭଳି ହୁଏ କି ଆପଣ ଯୋଜନା ଅନୁଯାୟୀ ବୋଲିଂ କରିବାରେ ବିଫଳ ହୁଅନ୍ତି । ସେ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ଓ ମୋର ବିଶ୍ୱାସ ସେ ଆଗାମୀ ମ୍ୟାଚରେ କମ୍-ବ୍ୟାକ୍ କରିବେ । ଆମେ ଏବେ ଦଳଗତ ଭାବେ ଆଲୋଚନା କରିବୁ କି କେଉଁ ସ୍ଥାନରେ ସୁଧାର ଆଣି ହେବ ଓ ଆଜି ମ୍ୟାଚକୁ ଦୃଷ୍ଟିରେ ରଖି ଆମେ ଆଗକୁ ବଢ଼ିବୁ ।"