ଚଳିତ ଆଇପିଏଲ ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ୧୦ ଟି ମ୍ୟାଚରୁ ୩ ଟି ବିଜୟ ହାସଲ କରିଛି । ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି ଲକ୍ଷ୍ନୌ । ବର୍ତ୍ତମାନର ସ୍ଥିତି ଅନୁଯାୟୀ ଲକ୍ଷ୍ନୌ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବା ସମ୍ଭବ ଥିଲେ ମଧ୍ୟ କଷ୍ଟକର । ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ୧୦ ଟି ମ୍ୟାଚରୁ ୫ ଟି ବିଜୟ ହାସଲ କରିଛି । ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି ଚେନ୍ନାଇ । ଚେନ୍ନାଇ ନିଜ ଶେଷ ଚାରୋଟି ମ୍ୟାଚରୁ ଚାରୋଟି ବିଜୟ ହାସଲ କଲେ ଅତି ସହଜରେ ପ୍ଲେଅଫ ପାଇଁ ଯୋଗ୍ୟତା ଅର୍ଜନ କରିବ । କିନ୍ତୁ ଏହି ରାସ୍ତାରେ ବାଧା ସୃଷ୍ଟି କରିପାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ।
ଲକ୍ଷ୍ନୌ ସୁପର ଜାଏଣ୍ଟସ ଚଳିତ ସିଜିନରେ ଅନେକ ଉତ୍ଥାନ ପତନ ଦେଇ ଗତି କରୁଛି । ଦଳର ଅଧିକାଂଶ ବ୍ୟାଟର ଫର୍ମରେ ନଥିବାରୁ ଚଳିତ ସିଜିନରେ ଲକ୍ଷ୍ନୌ ଲଗାତାର ଭାବେ ପଏଣ୍ଟ ଟେବୁଲର ଶୀର୍ଷ ଭାଗରେ ରହିଛି । ବର୍ତ୍ତମାନର ସ୍ଥିତି ଅନୁଯାୟୀ ଲକ୍ଷ୍ନୌ ପ୍ଲେଅଫ ଦୌଡରେ ଜୀବିତ ଅଛି, କିନ୍ତୁ ଗୋଟିଏ ମ୍ୟାଚ ହାରିଲେ ଏହି ଦୌଡ଼ରୁ ବାଦ ପଡିବ । ଏହା ବ୍ୟତୀତ ଯଦି ଲକ୍ଷ୍ନୌ ଶେଷ ୪ ଟି ମ୍ୟାଚ ଜିତେ ତାହାଲେ ମଧ୍ୟ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ହେବାକୁ ପଡିବ । ଲକ୍ଷ୍ନୌର ନେଟ୍ ରନ ରେଟ୍ ମଧ୍ୟ ପ୍ଳେଅଫ ପାଇଁ ବାଧା ସୃଷ୍ଟି କରିପାରେ ।
ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ଭଲ ଆରମ୍ଭ କରିନଥିଲେ ମଧ୍ୟ ବିଗତ କିଛି ମ୍ୟାଚ ଗୁଡିକରେ ବିଜୟ ହାସଲ କରିଛି । ପ୍ରଥମ ୩ ଟି ମ୍ୟାଚରୁ ଗୋଟିଏ ବି ମ୍ୟାଚ ଜିତି ନଥିବାବେଳେ ଶେଷ ୭ ଟି ମ୍ୟାଚରୁ ୫ ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହି ବିଜୟ ଧାରାକୁ ଆଗକୁ ବଢାଇବା ସହ ପ୍ଲେଅଫ ପାଇଁ ସ୍ୱପ୍ନ ଦେଖୁଥିବା ଚେନ୍ନାଇ ସାମ୍ନାରେ କଣ୍ଟା ସାଜିପାରେ ଲକ୍ଷ୍ନୌ । କାରଣ ଚେନ୍ନାଇ ନିଜ ପରବର୍ତ୍ତୀ ଦୁଇଟି ମ୍ୟାଚ ଲକ୍ଷ୍ନୌ ବିପକ୍ଷରେ ଖେଳିବ । ଲକ୍ଷ୍ନୌର ପ୍ଲେଅଫ ସମ୍ଭାବନା କଷ୍ଟକର ଥିବାବେଳେ ସେ ଚେନ୍ନାଇ ପାଇଁ କଣ୍ଟା ସାଜିପାରେ । ଲକ୍ଷ୍ନୌର ବ୍ୟାଟିଂ ୟୁନିଟ ଗତ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ଓ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ନିକୋଲାସ ପୁରନ ନିଜ ଫର୍ମ ଫେରିପାଇଛନ୍ତି । ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ମିଚିଲ ମାର୍ଶ ଶତକ ହାସଲ କରିଛନ୍ତି ।
ଆଜିର ମ୍ୟାଚ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ଏହି ମୈଦାନରେ ସ୍ପିନ ବୋଲରଙ୍କୁ ସହାୟତା ମିଳୁଥିବା ସହ ବ୍ୟାଟ୍ସମ୍ୟାନ ମାନଙ୍କୁ ମଧ୍ୟ ସାହାଯ୍ୟ ମିଳିବ । ଆଜିର ମ୍ୟାଚ ହାଇ-ସ୍କୋରିଂ ହେବା ନେଇ ଆଶା କରାଯାଉଛି । ତେଣୁ ଯଦି ଲକ୍ଷ୍ନୌ ଚେନ୍ନାଇ ଉପରେ ଭାରି ପଡେ ତେବେ ଚେନ୍ନାଇର ପ୍ଲେଅଫ ରାସ୍ତା ବାଧା ସାଜିବ ଲକ୍ଷ୍ନୌ। ଚେନ୍ନାଇ ଲଗାତାର ଦୁଇଟି ମ୍ୟାଚ ଲକ୍ଷ୍ନୌ ସହ ଖେଳିବାକୁ ଯାଉଛି, ଯଦି ଲକ୍ଷ୍ନୌ ଏହି ଦୁଇଟି ମ୍ୟାଚରେ ଚେନ୍ନାଇକୁ ପରାସ୍ତ କରେ ତେବେ ଚଳିତ ସିଜିନରେ ଚେନ୍ନାଇର ପ୍ଲେଅଫ ସ୍ୱପ୍ନ ସ୍ୱପ୍ନରେ ରହିଯିବ । ଲକ୍ଷ୍ନୌ ନିଜେ ପ୍ଲେଅଫ ଦୌଡ଼ରୁ ବାଦ ପଡିବ ଓ ସାଙ୍ଗରେ ଚେନ୍ନାଇକୁ ମଧ୍ୟ ନିଜ ସହ ପ୍ଲେଅଫ ଦୌଡରୁ ବିଦା କରିବ ।