ଆଇପିଏଲ ୨୦୨୬ ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଧର୍ମଶାଳା ମୈଦାନରେ ଦିଲ୍ଲୀ କ୍ୟାପିଟାଲ୍ସ କୁ ସାମ୍ନା କରିବ । ପ୍ଲେଅଫ ଦୌଡରେ ଜୀବିତ ରହିବା ପାଇଁ ପଞ୍ଜାବ ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ୱପୂର୍ଣ୍ଣ । ଦୁଇ ଦଳ ରବିବାର ଏହି ମୈଦାନରେ ଅଭ୍ୟାସ କରିଛନ୍ତି । ପଞ୍ଜାବ କିଙ୍ଗ୍ସ ଲଗାତାର ତିନୋଟି ପରାଜୟ ପରେ ନିଜ ଘରୋଇ ମୈଦାନକୁ ଫେରିଛନ୍ତି ।
ପଞ୍ଜାବ ନିଜ ଶେଷ ଚାରୋଟି ମ୍ୟାଚରୁ ୩ ଟି ମ୍ୟାଚ ଧର୍ମଶାଳାରେ ଖେଳିବ । ଚଳିତ ସିଜିନ ଆରମ୍ଭରୁ ପଞ୍ଜାବ କିଙ୍ଗ୍ସ ନିଜ ଚମତ୍କାର ପ୍ରଦର୍ଶନ ବଳରେ ଦୀର୍ଘ ସମୟ ଧରି ପଏଣ୍ଟ ଟେବୁଲର ଶୀର୍ଷରେ ଥିଲା । ପ୍ରଥମ ୭ ଟି ମ୍ୟାଚରୁ ଗୋଟିଏ ମଧ୍ୟ ମ୍ୟାଚ ହାରିନଥିବା ପଞ୍ଜାବ ଶେଷ ୩ ଟି ମ୍ୟାଚରେ ପରାଜୟ ସାମ୍ନା କରିଛି । ଖରାପ ଫିଲଡିଂ ଓ କ୍ୟାଚ ଛାଡିବା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହା ବ୍ୟତୀତ ପଞ୍ଜାବର ମୁଖ୍ୟ ବୋଲର ଅର୍ଶଦୀପ ସିଂଙ୍କୁ ବ୍ୟାଟ୍ସମ୍ୟାନ ମାନେ ଆକ୍ରମଣ କରୁଛନ୍ତି, ଯାହାଫଳରେ ପଞ୍ଜାବର ବୋଲିଂ ସାମାନ୍ୟ ଦୁର୍ବଳ ନଜର ଆସୁଛି । ଓପନିଂ ବ୍ୟାଟ୍ସମ୍ୟାନ ପ୍ରିୟାଂଶ ଆର୍ୟା ଓ ପ୍ରଭସିମରନ ଭଲ ଆରମ୍ଭ କରି ଆଉଟ ହେବା ପରେ ସେହି ରନ ରେଟ୍ ବଜାୟ ରଖିବାରେ ଅସଫଳ ହେଉଛି ପଞ୍ଜାବ ।
ଅନ୍ୟପଟେ ଦିଲ୍ଲୀ ନିଜ ଘରୋଇ ମୈଦାନରେ ଲଗାତାର ଦୁଇଟି ମ୍ୟାଚ ହାରିଛି । ସ୍ଲୋ ବ୍ୟାଟିଂ ପିଚ ଓ ଟର୍ଣ୍ଣିଙ୍ଗ ପିଚରେ ସଂଘର୍ଷ କରୁଛି ଦିଲ୍ଲୀର ବ୍ୟାଟିଂ ୟୁନିଟ । ସେହିଭଳି ଦିଲ୍ଲୀର ସ୍ପିନର କୁଲଦୀପ ଯାଦବଙ୍କୁ ପୂର୍ବ ଭଳି ସଫଳତା ମିଳିପାରୁନାହିଁ । ପୂର୍ବ ମ୍ୟାଚରେ ପରାଜୟ ପରେ ଦିଲ୍ଲୀର ଅଧିନାୟକ ଅକ୍ସର ପଟେଲ ଚଳିତ ସିଜିନରେ ନିଜ ଦଳର ପ୍ରଦର୍ଶନରେ ନିରାଶ ଅଛନ୍ତି । ଏହାସହ ଦିଲ୍ଲୀ ପ୍ଲେଅଫରେ ପହଞ୍ଚିବା ପାଇଁ ସମ୍ଭାବନା ଥିଲେ ମଧ୍ୟ ଦଳର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଚଳିତ ସିଜିନରେ ପ୍ଲେଅଫ କୁ ଭୁଲି ଆଗାମୀ ଆଇପିଏଲ ପାଇଁ ଚିନ୍ତା କରୁଥିବା ପ୍ରତିକ୍ରିୟା ରଖିଛନ୍ତି ।
ପଞ୍ଜାବ କିଙ୍ଗ୍ସ ୧୦ ଟି ମ୍ୟାଚରୁ ୬ ଟି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ୧୧ ଟି ମ୍ୟାଚରୁ ୪ ଟି ବିଜୟ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ପ୍ଲେଅଫ ଦୌଡ଼ରୁ ବାଦ ପଡିନଥିଲେ ମଧ୍ୟ ପ୍ଲେ ଅଫ ଦୌଡ଼ କଷ୍ଟକର ରହିଛି ଓ ଯଦି ଆଜି ମ୍ୟାଚରେ ପରାସ୍ତ ହୁଏ ତେବେ ପ୍ଳେଅଫ ଦୌଡ଼ରୁ ବାଦ ପଡିବ ।