କୋଲକାତା: ପଶ୍ଚିମବଙ୍ଗରେ ପୌର ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତୃଣମୂଳ କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ପ୍ରଭାବଶାଳୀ ନେତା ସୁଜିତ୍ ବୋଷଙ୍କୁ ଗିରଫ କରିଛି କେନ୍ଦ୍ରୀୟ ଏଜେନ୍ସି। ସଲ୍ଟଲେକ୍ ସ୍ଥିତ ସିଜିଓ କମ୍ପ୍ଲେକ୍ସରେ ଦୀର୍ଘ ସମୟ ଧରି ଜେରା କରିବା ପରେ ତଦନ୍ତକାରୀ ସଂସ୍ଥା ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ନିଯୁକ୍ତି ବଦଳରେ ଫ୍ଲାଟ୍ ଓ ନଗଦ ଟଙ୍କା ନେଇଥିବା ଅଭିଯୋଗ
EDର ଦାବି ଅନୁଯାୟୀ, ନିଯୁକ୍ତି ଦୁର୍ନୀତିରୁ ମିଳିଥିବା କଳାଟଙ୍କାରେ ସୁଜିତ୍ ବୋଷ ଏକାଧିକ ଫ୍ଲାଟ୍ କିଣିଛନ୍ତି। ଏହା ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ନଗଦ ଟଙ୍କା ଜମା ହୋଇଥିବାର ପ୍ରମାଣ ମଧ୍ୟ ଏଜେନ୍ସି ହାତରେ ଲାଗିଛି। ସୋମବାର ସୁଜିତ୍ ବୋଷ ନିଜ ପୁଅ ସମୁଦ୍ର ବୋଷଙ୍କ ସହ ED କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଦକ୍ଷିଣ ଦମଦମ୍ ପୌରପାଳିକାରେ ହୋଇଥିବା ଅନିୟମିତତାକୁ ନେଇ ପୂର୍ବରୁ ମଧ୍ୟ ତାଙ୍କୁ ଏକାଧିକ ଥର ସମନ କରାଯାଇଥିଲା।
ଘଟଣା କଣ ?
ପଶ୍ଚିମବଙ୍ଗର ବିଭିନ୍ନ ପୌରପାଳିକାରେ ବେଆଇନ ଭାବେ ପ୍ରାୟ ୧୮୦୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ସମ୍ପୂର୍ଣ୍ଣ ସ୍କାମ ପ୍ରାୟ ୨୦୦ କୋଟି ଟଙ୍କାର ବୋଲି ଅନୁମାନ କରାଯାଉଛି। ନିକଟରେ ହୋଇଥିବା ନିର୍ବାଚନ ସମୟରେ ମଧ୍ୟ ED ସୁଜିତ୍ ବୋଷ ଓ ତାଙ୍କ ପରିବାରକୁ ବାରମ୍ବାର ସମନ ପଠାଇଥିଲା। ତଦନ୍ତ ସମୟରେ ତାଙ୍କ ବାସଭବନ ଏବଂ ଅଫିସ୍ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବେଜ ଜବତ କରାଯାଇଛି।
ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ ସୁଜିତ୍
ତେବେ ଗିରଫ ହେବା ପୂର୍ବରୁ ଏହି ସମ୍ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସୁଜିତ୍ ବୋଷ କହିଥିଲେ। ସେ ଅଭିଯୋଗ କରିଥିଲେ ଯେ, ନିଯୁକ୍ତି ବିକି ଟଙ୍କା ରୋଜଗାର କରିବା ଭଳି ଖରାପ ସମୟ ତାଙ୍କର ଆସିନାହିଁ ଏବଂ ଏହା ନିର୍ବାଚନ କମିଶନ ଓ EDର ଏକ ମିଳିତ ଷଡ଼ଯନ୍ତ୍ର।
ଗିରଫ ସୁଜିତ୍ ବୋଷଙ୍କୁ ଆଜି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ। ବର୍ତ୍ତମାନ ଏହି ଦୁର୍ନୀତିରେ ଆଉ କେଉଁ କେଉଁ ନେତାଙ୍କ ସମ୍ପୃକ୍ତି ରହିଛି ଏବଂ କେଉଁଠାକୁ ଟଙ୍କା କାରବାର ହୋଇଛି, ସେନେଇ ED ଖୋଳତାଡ଼ ଜାରି ରଖିଛି।