ନୂଆଦିଲ୍ଲୀ/ଭଦୋଦରା: ପଶ୍ଚିମ ଏସିଆରେ ଲାଗି ରହିଥିବା ଯୁଦ୍ଧ ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଏକ ବଡ଼ ଅପିଲ୍ କରିଛନ୍ତି। ୨୪ ଘଣ୍ଟା ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଏହି ସଙ୍କଟ ସମୟରେ ଦେଶର ଶକ୍ତି ସମ୍ବଳ ବଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି। ଗୁଜରାଟର ଭଦୋଦରାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ସ୍ଥିତି ସ୍ଵାଭାବିକ ନହୋଇଛି, ସେ ପର୍ଯ୍ୟନ୍ତ ଆମକୁ କିଛି ଦିଗରେ ସଂଯମତା ଅବଲମ୍ବନ କରିବାକୁ ପଡ଼ିବ।
ପ୍ରଧାନମନ୍ତ୍ରୀଙ୍କ ୫ଟି ପ୍ରମୁଖ ଅପିଲ୍
୧. ସୁନା କିଣନ୍ତୁ ନାହି
ସୁନା ଆମଦାନୀ ପାଇଁ ଦେଶର ବହୁ ମୂଲ୍ୟବାନ ବିଦେଶୀ ମୁଦ୍ରା ଖର୍ଚ୍ଚ ହୋଇଥାଏ। ତେଣୁ ବର୍ତ୍ତମାନର ସ୍ଥିତିରେ ସୁନା କିଣିବାକୁ କିଛି ଦିନ ଘୁଞ୍ଚାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି।
୨. ତୈଳ ବ୍ୟବହାରରେ ସଂଯମତା
ଯଥାସମ୍ଭବ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମ୍ କରିବାକୁ ମୋଦୀ କହିଛନ୍ତି। ବ୍ୟକ୍ତିଗତ ଗାଡ଼ି ପରିବର୍ତ୍ତେ ମେଟ୍ରୋ, ଇଲେକ୍ଟ୍ରିକ୍ ବସ୍ ଏବଂ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରିବା ସହ ‘କାର୍ ପୁଲିଂ’କୁ ପ୍ରୋତ୍ସାହନ ଦେବାକୁ ସେ ପରାମର୍ଶ ଦେଇଛନ୍ତି।
୩. ୱାର୍କ ଫ୍ରମ୍ ହୋମ୍ (WFH)
ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ବର୍ତ୍ତମାନ ଭର୍ଚୁଆଲ୍ ମିଟିଂ ଏବଂ ୱାର୍କ ଫ୍ରମ୍ ହୋମ୍କୁ ଅଧିକ ପ୍ରାଧାନ୍ୟ ଦେବା ପାଇଁ ସେ କହିଛନ୍ତି। ଏହାଦ୍ଵାରା ଯାତାୟାତ ଖର୍ଚ୍ଚ ଏବଂ ଇନ୍ଧନ ବଞ୍ଚିପାରିବ।
୪. ଭୋକାଲ୍ ଫର୍ ଲୋକାଲ୍
ବିଦେଶୀ ସାମଗ୍ରୀ ବଦଳରେ ସ୍ଥାନୀୟ ଉତ୍ପାଦକୁ ଆପଣାଇବାକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ବିଦେଶୀ ମୁଦ୍ରା ଖର୍ଚ୍ଚ ହେଉଥିବା ବ୍ୟକ୍ତିଗତ କାର୍ଯ୍ୟରୁ ଦୂରେଇ ରହିବାକୁ ସେ ଆହ୍ୱାନ କରିଛନ୍ତି।
୫. ଯୁବକଙ୍କୁ ଅପ୍ରେଣ୍ଟିସିପ୍
ଡିଗ୍ରୀ ପରେ ଯୁବକମାନେ ଯେପରି ଦିଗହୀନ ନରୁହନ୍ତି, ସେଥିପାଇଁ ‘ଷ୍ଟାର୍ଟଅପ୍ ଇଣ୍ଡିଆ’ ଏବଂ ଅପ୍ରେଣ୍ଟିସିପ୍ ଜରିଆରେ ସେମାନଙ୍କୁ ଦକ୍ଷ କରିବା ପାଇଁ ସରକାର କାମ କରୁଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯଦି କରୋନା ମହାମାରୀ ଶତାବ୍ଦୀର ସବୁଠାରୁ ବଡ଼ ସଙ୍କଟ ଥିଲା, ତେବେ ପଶ୍ଚିମ ଏସିଆ ଯୁଦ୍ଧ ଏହି ଦଶକର ଏକ ବଡ଼ ଆହ୍ୱାନ। ଯେମିତି ଆମେ ସମସ୍ତେ ମିଶି କରୋନାକୁ ହରାଇଲେ, ସେହିପରି ଏହି ସଙ୍କଟରୁ ମଧ୍ୟ ପାର୍ ପାଇଯିବା। ସରକାର ନିରନ୍ତର ଚେଷ୍ଟା କରୁଛନ୍ତି ଯେପରି ଏହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ କମ୍ ପଡ଼ିବ।