ଅହମ୍ମଦାବାଦ: ଆଇପିଏଲ ୨୦୨୬ରେ ଶୁଭମନ ଗିଲଙ୍କ ଗୁଜରାଟ ଟାଇଟନ୍ସର ବିଜୟ ରଥ ଅଟକିବାର ନାଁ ନେଉନାହିଁ । ଟୁର୍ଣ୍ଣାମେଣ୍ଟର ୫୬ତମ ମୁକାବିଲାରେ ହାଇଦ୍ରାବାଦକୁ ୮୨ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଗୁଜରାଟ । ନିଜ ଘରୋଇ ଗ୍ରାଉଣ୍ଡ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଗୁଜରାଟ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଛି। ଏହି ବିଜୟ ସହ ଗୁଜରାଟ ପଏଣ୍ଟ ଟେବୁଲରେ ପୁଣିଥରେ ଶୀର୍ଷ ସ୍ଥାନ ଦଖଲ କରିବା ସହ ପ୍ଲେ-ଅଫ୍ ଦୌଡ଼ରେ ନିଜର ସ୍ଥାନ ପ୍ରାୟ ସୁନିଶ୍ଚିତ କରିଛି।
ସୁଦର୍ଶନ ଓ ସୁନ୍ଦରଙ୍କ ଲଢୁଆ ବ୍ୟାଟିଂ
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟର ଆରମ୍ଭ ବହୁତ ଖରାପ ରହିଥିଲା । ଦଳ ମାତ୍ର ୩୪ ରନ୍ ସ୍କୋରରେ ଅଧିନାୟକ ଶୁଭମନ ଗିଲ (୫) ଓ ଜସ୍ ବଟଲର (୭)ଙ୍କ ୱିକେଟ୍ ହରାଇଥିଲା । ତେବେ ଇନଫର୍ମ ବ୍ୟାଟର ସାଇ ସୁଦର୍ଶନ ପୁଣିଥରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ସେ ଚଳିତ ସିଜନର ୫ମ ତଥା କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ କରିଥିଲେ । ସୁଦର୍ଶନ (୬୧) ଏବଂ ୱାଶିଂଟନ ସୁନ୍ଦର (୫୦) ଚତୁର୍ଥ ୱିକେଟ୍ ପାଇଁ ୬୦ ରନର ଗୁରୁତ୍ୱପୂର୍ଣ୍ଣ ସାଝେଦାରୀ କରି ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଗୁଜରାଟ ୫ ୱିକେଟ୍ ହରାଇ ୧୬୮ ରନ୍ ସଂଗ୍ରହ କରିଥିଲା ।
ତାସର ଘର ଭଳି ଭୁଶୁଡ଼ିଲା ହାଇଦ୍ରାବାଦ ବ୍ୟାଟିଂ ଲାଇନ୍ଅପ୍
୧୬୯ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସନରାଇଜର୍ସ ହାଇଦ୍ରାବାଦର ବିସ୍ଫୋରକ ବ୍ୟାଟିଂ ଲାଇନ୍-ଅପ୍ ଗୁଜରାଟର ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା । ମହମ୍ମଦ ସିରାଜ ପ୍ରଥମ ଓଭରରେ ଟ୍ରାଭିସ ହେଡ୍ଙ୍କୁ ଶୂନରେ ଆଉଟ୍ କରି ଝଟକା ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକୀୟ ସ୍ପିଡ୍ ଷ୍ଟାର କାଗିସୋ ରବାଡା ନିଜର କମାଲ ଦେଖାଇଥିଲେ । ରବାଡା ମାତ୍ର ୨୮ ରନ୍ ଦେଇ ୩ଟି ମୁଖ୍ୟ ୱିକେଟ୍ (ଅଭିଷେକ ଶର୍ମା, ଇଶାନ କିଷାନ ଓ ରବିଚନ୍ଦ୍ରନ ସ୍ମରଣ) ଚଟକାଇ ହାଇଦ୍ରାବାଦର ଅଣ୍ଟା ଭାଙ୍ଗି ଦେଇଥିଲେ।
ହାଇଦ୍ରାବାଦର ସର୍ବନିମ୍ନ ସ୍କୋର ଓ ଗୁଜରାଟର ରେକର୍ଡ ବିଜୟ
ହାଇଦ୍ରାବାଦର ସ୍ଥିତି ଏପରି ହୋଇଥିଲା ଯେ, ମାତ୍ର ୬୦ ରନରେ ଦଳ ୭ଟି ୱିକେଟ୍ ହରାଇ ସାରିଥିଲା । ଅଧିନାୟକ ପ୍ୟାଟ୍ କମିନ୍ସ (୧୯) କିଛି ସମୟ ଲଢ଼େଇ କରିଥିଲେ ହେଁ ତାହା ଯଥେଷ୍ଟ ନଥିଲା । ଜେସନ ହୋଲ୍ଡର (୩/୨୦) ଏବଂ ପ୍ରସିଦ୍ଧ କ୍ରିଷ୍ଣା (୨/୨୩) ଶେଷ ଭାଗରେ ୱିକେଟ୍ ନେଇ ହାଇଦ୍ରାବାଦର ଇନିଂସକୁ ମାତ୍ର ୮୬ ରନରେ ସୀମିତ ରଖିଥିଲେ ।
ଆଇପିଏଲ୍ ଇତିହାସରେ ରନ୍ ବ୍ୟବଧାନରେ ଏହା ଗୁଜରାଟର ସବୁଠାରୁ ବଡ଼ ବିଜୟ ହୋଇଥିବାବେଳେ, ହାଇଦ୍ରାବାଦ ପାଇଁ ଏହା ସର୍ବନିମ୍ନ ସ୍କୋର ସାବ୍ୟସ୍ତ ହୋଇଛି । ଏହି ବିଜୟ ସହ ଗୁଜରାଟ ଏବେ ପ୍ଲେ-ଅଫ୍ ଖେଳିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।