ଆଇପିଏଲ ୨୦୨୬ ଶେଷ ହେବା ପରେ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ଏକ ମାତ୍ର ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳର ଚୟନ ବିସିସିଆଇ ପାଇଁ ଚିନ୍ତାର ବିଷୟ ପାଲଟିଛି । ୩୧ ମଇରେ ଆଇପିଏଲ ଫାଇନାଲ ଖେଳାଯିବ ଓ ଏହାର ୬ ଦିନ ପରେ ଭାରତ ଓ ଆଫଗାନିସ୍ଥାନ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ । ଏହି ଟେଷ୍ଟ ପାଇଁ ଚୟନକର୍ତ୍ତା ୱାର୍କଲୋଡ଼ ମ୍ୟାନେଜମେଣ୍ଟ ଓ ଦଳର ପ୍ଲେଇଂ ୧୧ ରେ ସନ୍ତୁଳନ ବନାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଆଗାମୀ ୭ ରୁ ୧୦ ଦିନରେ ବିସିସିଆଇ ଅଧିକାରୀଙ୍କ ସହିତ ବୈଠକ କରିପାରନ୍ତି। ଆଗାମୀ ସିଜିନରେ ଦ୍ରୁତ ବୋଲରଙ୍କ ୱାର୍କଲୋଡ଼ ମ୍ୟାନେଜମେଣ୍ଟକୁ ନେଇ ଏହି ବୈଠକରେ ଆଲୋଚନା କରାଯିବ । ବିଶେଷ କରି ଯଶପ୍ରୀତ ବୁମରା ଓ ମହମ୍ମଦ ଶାମିଙ୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇପାରେ ।
ବିସିସିଆଇ ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ମ୍ୟାଚରେ କୌଣସି ଭୁଲ କରିବାକୁ ଚାହୁଁ ନାହାନ୍ତି । ଏହି କାରଣ ପାଇଁ ଦଳର ମୁଖ୍ୟ ବୋଲର ଯଶପ୍ରୀତ ବୁମରାଙ୍କୁ ଦଳରେ ଚୟନ କରାଯିବାର ସମ୍ଭାବନା ରହିଛି । ଅନ୍ୟପଟେ ମହମ୍ମଦ ଶାମି ମଧ୍ୟ ଦୀର୍ଘ ୬ ମାସ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଦୂରରେ ଅଛନ୍ତି । ଶାମିଙ୍କୁ ଏହି ଟେଷ୍ଟ ମ୍ୟାଚ ପାଇଁ ଚୟନ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ବୋର୍ଡର କହିବା ଅନୁଯାୟୀ ଟେଷ୍ଟ କ୍ୟାପ ସହଜରେ ମିଳେନାହିଁ ଓ ବେଷ୍ଟ ୧୧ ସହ ଦଳ ପଡ଼ିବାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚାଲିଛି ।
ଚୟନକର୍ତ୍ତା କିଛି ଯୁବ ଖେଳାଳିଙ୍କୁ ଦଳରେ ସାମିଲ କରିବା ପାଇଁ ଚିନ୍ତା କରୁଛନ୍ତି । ଅଂଶୁଲ କମ୍ବୋଜ, ଗୁର୍ନୁର ବ୍ରାର ପୂର୍ବରୁ ଇଣ୍ଡିଆ-ଏ ଦଳରେ ସାମିଲ ଥିଲେ, ତେଣୁ ଏହି ଦୁଇ ଖେଳାଳିଙ୍କ ଉପରେ ଚୟନକର୍ତ୍ତା ନଜର ରଖିଛନ୍ତି । ଅନ୍ୟପଟେ ରଞ୍ଜି ଟ୍ରଫିରେ ନିଜ ବୋଲିଂ ବଳରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ଆକିବ ନବି । ତେଣୁ ଆକିବଙ୍କ ଉପରେ ଚୟନକର୍ତ୍ତା ଦୃଷ୍ଟି ଦେଇ ପାରନ୍ତି ।
ମହମ୍ମଦ ଶିରାଜ ଓ ପ୍ରସିଧ କ୍ରିଷ୍ଣା ଗୁଜୁରାଟ ଟାଇଟନ୍ସର ଅଂଶ ଅଛନ୍ତି । ଯଦି ଗୁଜୁରାଟ ଫାଇନାଲରେ ପ୍ରବେଶ କରେ ତେବେ ଟେଷ୍ଟ ମ୍ୟାଚ ପାଇଁ ଅଭ୍ୟାସ କରିବାକୁ ଏହି ଦୁଇ ବୋଲରଙ୍କ ପାଖରେ ବେଶୀ ସମୟ ରହିବ ନାହିଁ । ଅନ୍ୟପଟେ ଆକାଶ ଦୀପ ଓ ହର୍ଷିତ ରାଣା ଆହତ ଥିବାରୁ ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ପାଇଁ ଉପଲବ୍ଧ ହେବେ ନାହିଁ ।
ଭାରତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଗାମୀ ୯ ମାସରେ ୯ ଟି ଟେଷ୍ଟ ମ୍ୟାଚ ଖେଳିବ । ଆଫଗାନିସ୍ଥାନ ବିପକ୍ଷ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଅଂଶ ନଥିଲେ ମଧ୍ୟ ଚୟନକର୍ତ୍ତା ଭବିଷ୍ୟତର ପ୍ରସ୍ତୁତ ପାଇଁ ଏହି ମ୍ୟାଚକୁ ବେଶ ଗୁରୁତ୍ୱ ଦେଉଛନ୍ତି ।