ଦିଲ୍ଲୀ କ୍ୟାପିଟାଲ୍ସ ସୋମବାର ପଞ୍ଜାବ କିଙ୍ଗ୍ସକୁ ୩ ୱିକେଟ୍ ରେ ପରାସ୍ତ କରିଛି । ଧର୍ମଶାଳାରେ ଖେଳାଯାଇଥିବା ଏହି ମ୍ୟାଚରେ ୨୧୧ ରନର ଟାର୍ଗେଟକୁ ଚେଜ କରିଛି ଦିଲ୍ଲୀ । ପୂର୍ବରୁ ଆଉଟ-ଅଫ-ଫର୍ମ ଥିବା ଅକ୍ସର ପଟେଲ ଏହି ମ୍ୟାଚରେ ଫର୍ମକୁ ଫେରିବା ସହ ୩୦ ବଲରେ ୫୬ ରନ ସଂଗ୍ରହ କରିଛନ୍ତି । ଦଳକୁ ମ୍ୟାଚ ଜିତାଇ ଖୁସି ଥିବାବେଳେ ବିସିସିଆଇ ଅକ୍ସର ପଟେଲଙ୍କ ଉପରେ ଜରିମାନା ଲଗାଇଛନ୍ତି । ସ୍ଲୋ ଓଭର ରେଟ୍ ପାଇଁ ବିସିସିଆଇ ଅକ୍ସର ପଟେଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।
ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ମିଡ଼ିଆ ବିଜ୍ଞପ୍ତି ଅନୁଯାୟୀ, ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚର ସମସ୍ତ ଓଭର ନିର୍ଦ୍ଧାରିତ ସମୟ ଅନୁସାରେ ଶେଷ କରିନଥିଲା । ଚଳିତ ସିଜିନରେ ଏହା ଦଳର ପ୍ରଥମ ଭୁଲ ଥିଲା, ତେଣୁ ବିସିସିଆଇ ଆଇପିଏଲ ନିୟମଧାରା ୨.୨୨ ଅନୁଯାୟୀ ଅକ୍ସର ପଟେଲଙ୍କ ଉପରେ ୧୨ ଲକ୍ଷ ଟଙ୍କା ଜରିମାନା ଲଗାଇଛି ।
ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ଥିତି
ସୋମବାର ଦିଲ୍ଲୀ କ୍ୟାପିଟାଲ୍ସ ୧୯ ତମ ଓଭରରେ ପଞ୍ଜାବ ଦେଇଥିବା ୨୧୧ ରନ ଟାର୍ଗେଟକୁ ଚେଜ କରିଥିଲା । ଏହି ବିଜୟ ପରେ ଦିଲ୍ଲୀ ୧୨ ଟି ମ୍ୟାଚରୁ ୫ ଟି ବିଜୟ ହାସଲ କରି ୧୦ ପଏଣ୍ଟ ପାଇଛି । ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଅଛି ଦିଲ୍ଲୀ । ଦଳ ପାଖରେ ଆଉ ଦୁଇଟି ମ୍ୟାଚ ରହିଛି । ଦଳ ୧୭ ମଇରେ ରାଜସ୍ଥାନ ରୟାଲ୍ସ ଓ ୨୪ ମଇରେ କୋଲକାତା ନାଇଟ ରାଇଡ଼ର୍ସ ବିପକ୍ଷରେ ଖେଳିବ । ଏହି ଦୁଇଟି ମ୍ୟାଚରେ ବିଜୟ ହାସଲ କଲେ ମଧ୍ୟ ଦିଲ୍ଲୀ ପାଇଁ ପ୍ଲେଅଫରେ ପହଞ୍ଚିବା କଷ୍ଟକର ହେବ । ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ ଆନୁଷ୍ଠାନିକ ଭାବେ ପ୍ଲେଅଫ ଦୌଡ଼ରୁ ବାଦ ପଡ଼ିନାହିଁ । କିନ୍ତୁ ୧୪ ପଏଣ୍ଟ ସହ ପ୍ଲେଅଫକୁ ଯିବା କଷ୍ଟକର ଓ ଏହା ମଧ୍ୟ ବୁଝିସାରିଛନ୍ତି ଅଧିନାୟକ ଅକ୍ସର ପଟେଲ । କୋଲକାତା ବିପକ୍ଷ ମ୍ୟାଚ ହାରିବା ପରେ ଅଧିନାୟକ ନିରାଶ ଥିଲେ ଓ ପରବର୍ତ୍ତୀ ସିଜିନ ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ ଅକ୍ସର ।