ୟୁରୋପୀୟ ଟି-୨୦ ପ୍ରିମିୟର ଲିଗ (EPTL), ଭାରତୀୟ କିମ୍ବଦନ୍ତୀ କ୍ରିକେଟର ରାହୁଲ ଦ୍ରାବିଡ଼ଙ୍କୁ ଡବଲିନ୍ ଗାର୍ଡିଆନ୍ସ ଦଳର ମାଲିକ ବୋଲି ଘୋଷଣା କରିଛନ୍ତି । ସୋମବାର EPTL ପକ୍ଷରୁ ଏହି ସୂଚନା ଦିଆଯାଇଛି । EPTL ୨୦୨୬ ର ଲଞ୍ଚ ପୂର୍ବରୁ ରାହୁଲ ଦ୍ରାବିଡ଼ଙ୍କ ଡବଲିନ୍ ଗାର୍ଡିଆନ୍ସ ଷଷ୍ଠ ଦଳ ଭାବେ ଯୋଗ ଦେଇ ଫ୍ରାଞ୍ଚାଇଜ୍ ପ୍ରକ୍ରିୟାକୁ ସମାପ୍ତ କରିଛି । ଡବଲିନ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ EPTL , ଟୁର୍ନାମେଣ୍ଟର ସମସ୍ତ ଫ୍ରାଞ୍ଚାଇଜ୍ ଲାଇନଅପ ସମାପ୍ତ ହୋଇଥିବା ସୂଚନା ଦେଇଛି ଓ ରାହୁଲ ଦ୍ରାବିଡ଼ଙ୍କୁ ଡବଲିନ୍ ଗାର୍ଡିଆନ୍ସର ମାଲିକ ଭାବେ ପରିଚିତ କରାଇଛି। ଏହି କାର୍ଯ୍ୟକ୍ରମରେ ରାହୁଲ ଦ୍ରାବିଡ଼ଙ୍କ ସମେତ ବଲିଉଡ ଷ୍ଟାର ଅଭିଶେଖ ବଚନ ମଧ୍ୟ ଉପସ୍ଥିତ ଥିଲେ । ଅଭିଶେଖ ବଚନ EPTL ର ପ୍ରମୋସନ ମଧ୍ୟ କରୁଛନ୍ତି ।
ଏହି କାର୍ଯ୍ୟକ୍ରମରେ ଗ୍ଲାସଗୋ ଫ୍ରାଞ୍ଚାଇଜର ବିପୁଲ ଅଗ୍ରୱାଲ ଏବଂ ରୋଟରଡାମ ଫ୍ରାଞ୍ଚାଇଜର ଜଣ୍ଟି ରୋଡ୍ସ ଓ ମଧୁକର ଶ୍ରୀଙ୍କ ସମେତ ଅନ୍ୟ ଫ୍ରାଞ୍ଚାଇଜର ମାଲିକମାନେ ମଧ୍ୟ ଉପସ୍ଥିତ ଥିଲେ। EPTL ର ସହ-ପ୍ରତିଷ୍ଠାତା ସୌରଭ ବାନାର୍ଜୀ, ପ୍ରିୟଙ୍କା କାଉଲ ଓ ଧିରଜ ମାଲହୋତ୍ରା ମଧ୍ୟ ଉପସ୍ଥିତ ଥିଲେ। ଏହି ଲିଗରେ ମିଚିଲ ମାର୍ଶ, ଟିମ ଡେଭିଡ, ମିଚିଲ ସାଣ୍ଟନର୍, ଲିଆମ ଲିଭିଙ୍ଗଷ୍ଟୋନ୍, ଗ୍ଲେନ ମ୍ୟାକ୍ସୱେଲ, ଫାଫ୍ ଡୁ ପ୍ଲେସିସ୍ ଏବଂ ହେନ୍ରିକ କ୍ଲାସେନଙ୍କ ଭଳି ଅନ୍ତର୍ଜାତୀୟ ଖେଳାଳି ମଧ୍ୟ ଖେଳିପାରନ୍ତି । ଅଗଷ୍ଟ ରୁ ସେପ୍ଟେମ୍ବର ଭିତରେ ଏହି ଟୁର୍ନାମେଣ୍ଟ ହେବ ବୋଲି EPTL ପକ୍ଷରୁ ସୂଚନା ଦିଆଯାଇଛି ।
EPTL ର ସମସ୍ତ ୬ ଟି ଦଳ ଓ ଏହାର ମାଲିକ
ଡବଲିନ୍ ଫ୍ରାଞ୍ଚାଇଜ୍ - ରାହୁଲ ଦ୍ରାବିଡ
ବେଲଫାଷ୍ଟ ଫ୍ରାଞ୍ଚାଇଜ୍ - ଗ୍ଲେନ୍ ମ୍ୟାକ୍ସୱେଲ୍ ଏବଂ ରୋହନ୍ ଲୁଣ୍ଡ
ଏଡିନବର୍ଗ ଫ୍ରାଞ୍ଚାଇଜ୍ - କାଇଲ ମିଲ୍ସ, ନାଥନ ମ୍ୟାକକୁଲମ ଏବଂ ରାଚେଲ ୱିଜମ୍ୟାନ୍
ଗ୍ଲାସଗୋ ଫ୍ରାଞ୍ଚାଇଜ୍ - ବିପୁଲ ଅଗ୍ରୱାଲ ଏବଂ କ୍ରିସ ଗେଲ
ଆମଷ୍ଟରଡାମ୍ ଫ୍ରାଞ୍ଚାଇଜ୍ - ଷ୍ଟିଭ୍ ୱା, ଜେମି ଡ୍ୱାୟାର ଏବଂ ଟିମ୍ ଥମାସ
ରୋଟରଡାମ୍ ଫ୍ରାଞ୍ଚାଇଜ୍ - ଜଣ୍ଟି ରୋଡ୍ସ, ଫାଫ୍ ଡୁ ପ୍ଲେସିସ, ଗ୍ଲାସିନ୍ ଓ ସମୀର ଶାହ ଏବଂ ପରିଚାଳନା ପାର୍ଟନର ଭାବରେ ମଧୁକର ଶ୍ରୀ