ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ କନେଷ୍ଟବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲା ଦିନକୁ ଦିନ ଆହୁରି ଚର୍ଚ୍ଚିତ ହେଉଛି। ଘଟଣାର ତଦନ୍ତ ଦାୟିତ୍ୱ ନେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ଜୋରଦାର କରିଥିବା ବେଳେ ଏବେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହା ସହ ମୋଟ ଗିରଫଦାରୀ ସଂଖ୍ୟା ୧୨ରେ ପହଞ୍ଚିଛି। ଗିରଫ ହୋଇଥିବା ଅଭିଯୁକ୍ତ ‘ବଣ୍ଟି’କୁ କ୍ରାଇମବ୍ରାଞ୍ଚ ଗତକାଲି ବିଳମ୍ବିତ ରାତିରେ ଧରିଥିବା ବେଳେ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବାକୁ ଥିବା ସୂଚନା ମିଳିଛି।
ଏହି ସମ୍ବେଦନଶୀଳ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଏବେ ତୃତୀୟ ଦିନରେ ପହଞ୍ଚିଛି। ପୂର୍ବରୁ କମିଶନରେଟ୍ ପୋଲିସ ଦୁଇଟି ପର୍ଯ୍ୟାୟରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ସମସ୍ତେ ଜେଲରେ ଅଛନ୍ତି। କିନ୍ତୁ ଏହି ଘଟଣାରେ ଆହୁରି ଅନେକ ଲୋକ ସମ୍ପୃକ୍ତ ଥିବା ସନ୍ଦେହକୁ ନେଇ ତଦନ୍ତକୁ ଆହୁରି ତେଜ କରାଯାଇଛି।
ଘଟଣାସ୍ଥଳରୁ ଭାଇରାଲ ହୋଇଥିବା ଭିଡିଓରେ ୫୦ରୁ ଅଧିକ ଲୋକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଏବେ କ୍ରାଇମବ୍ରାଞ୍ଚ ପାଇଁ ସବୁଠାରୁ ବଡ଼ ସୂତ୍ର ହୋଇଥିବା ବେଳେ, ଭିଡିଓ ଆଧାରରେ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ତଦନ୍ତକାରୀ ଟିମ୍ ଭିଡିଓ ଫୁଟେଜ୍, ମୋବାଇଲ ଲୋକେସନ୍ ଓ ସ୍ଥାନୀୟ ସୂଚନାକୁ ଆଧାର କରି ଅଭିଯୁକ୍ତମାନଙ୍କ ଖୋଜଖବର ନେଉଛି।
ଅନ୍ୟପକ୍ଷରେ ଗିରଫଦାରୀ ଭୟରେ ବେଣୁପୁର ଓ ଆଖପାଖ ଗାଁର ଅନେକ ପୁରୁଷ ଫେରାର ହୋଇଯାଇଥିବା ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ: ବାଲିଅନ୍ତା ଭିଡ ଭିତରେ ହତ୍ୟା ଘଟଣା; ବଦଳିଲେ IIC, ୪ ପୋଲିସ ଅଧିକାରୀ ସସ୍ପେଣ୍ଡ୍