ଭୁବନେଶ୍ୱର: ଏଥର ସଅଳ ଆସିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ପାଇଁ ବାଟ ଏବେ ପ୍ରାୟ ସଫା ହୋଇଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ମେ’ ୨୦ ସୁଦ୍ଧା ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପହଞ୍ଚିପାରେ। ଏହା ସହ ଏଥର ମୌସୁମୀ ସ୍ୱାଭାବିକ ସମୟରେ ଭାରତୀୟ ଭୂଖଣ୍ଡକୁ ଛୁଇଁବାର ସମ୍ଭାବନା ବଢ଼ିଛି।
ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଚଳିତ ସପ୍ତାହ ଶେଷ ଆଡକୁ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଅଞ୍ଚଳରେ ପାଗ ମୌସୁମୀ ପାଇଁ ସମ୍ପୂର୍ଣ୍ଣ ଅନୁକୂଳ ହେବ। ମେ’ ୧୪ରୁ ୨୦ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଆହୁରି ଶକ୍ତିଶାଳୀ ହେବା ସହ ବର୍ଷାର ପରିମାଣ ବଢ଼ିବ। ଏହା ମୌସୁମୀ ବାୟୁକୁ ଆଗକୁ ବଢ଼ିବାରେ ସହଯୋଗ କରିବ।
ଏହା ସହ GFS ମଡେଲ ଅନୁଯାୟୀ, ମେ’ ୧୪-୧୫ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ମୌସୁମୀ ବାୟୁକୁ ଆଗକୁ ଠେଲିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଏହାର ପ୍ରଭାବରେ ଆଣ୍ଡାମାନ ସହ ତାମିଲନାଡୁ ଓ କେରଳର କିଛି ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇସାରିଛି।
ସାଧାରଣତଃ ଜୁନ୍ ୧ରେ କେରଳ ଉପକୂଳରେ ମୌସୁମୀ ପହଞ୍ଚୁଥିବା ବେଳେ, ଏଥର ଏହା ଠିକ୍ ସମୟରେ କିମ୍ବା କେତେକ ଅଞ୍ଚଳରେ ତା’ପୂର୍ବରୁ ମଧ୍ୟ ପହଞ୍ଚିପାରେ ବୋଲି ଆକଳନ କରାଯାଉଛି। ଚାଷୀମାନଙ୍କ ପାଇଁ ଏହା ଏକ ଖୁସିର ଖବର ହୋଇଥିବା ବେଳେ, ତୀବ୍ର ଗ୍ରୀଷ୍ମ ଓ ଅସହ୍ୟ ତାତିରେ କଲବଲ ହେଉଥିବା ସାଧାରଣ ଲୋକଙ୍କୁ ମଧ୍ୟ ଆଶ୍ୱସ୍ତି ଦେଇଛି। ଏବେ ସମସ୍ତଙ୍କ ନଜର ମୌସୁମୀର ପ୍ରଥମ ବର୍ଷା ଉପରେ।