ଚେନ୍ନାଇ: ତାମିଲନାଡୁରେ ନୂଆ ସରକାର ଗଠନ ହେବା ସହ ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୟ ଏକ ବଡ ନିଷ୍ପତ୍ତିକ୍ରମେ ପୂରା ରାଜ୍ୟରେ ପୂଜାସ୍ଥଳ, ଶିକ୍ଷାନୁଷ୍ଠାନ ଓ ବସ ଷ୍ଟାଣ୍ଡ ନିକଟରେ ଖୋଲିଥିବା ୭୧୭ ମଦ ଦୋକାନ ବନ୍ଦ କରିବାକୁ ଆଦେଶ ଜାରି କରିଛନ୍ତି ।
ଜାରି ଆଦେଶ ଅନୁସାରେ ମଙ୍ଗଳବାର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଆଗାମୀ ଦୁଇ ସପ୍ତାହ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ, ସ୍କୁଲ, କଲେଜ ଓ ବସ ଷ୍ଟାଣ୍ଡର ୫୦୦ ମିଟର ପରିଧିରେ ଚାଲିଥିବା ମଦ ଦୋକାନଗୁଡିକୁ ତାମିଲନାଡୁ ଷ୍ଟେଟ ମାର୍କେଟିଂ କର୍ପୋରେସନ ବନ୍ଦ କରୁ ।
ରାଜ୍ୟରେ ବନ୍ଦ ହେବ ୭୧୭ ମଦ ଦୋକାନ
ତାମିଲନାଡୁ ସରକାର ଅନୁସାରେ, ରାଜ୍ୟରେ ବର୍ତ୍ତମାନ ମୋଟ୍ ୪, ୭୬୫ ମଦ ଦୋକାନ ରହିଛି । ଏଥିରୁ ୭୧୭ ମଦ ଦୋକାନ ବନ୍ଦ କରିବାକୁ ଚୟନ କରାଯାଇଛି । ଏଥିରେ ୨୭୬ ଦୋକାନ ପୂଜାସ୍ଥଳ ନିକଟରେ, ୧୮୬ ଶିକ୍ଷାନୁଷ୍ଠାନ ଏବଂ ୨୫୫ ମଦ ଦୋକାନ ବସ ଷ୍ଟାଣ୍ଡ ନିକଟରେ ରହିଛି ।
ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର କିଛି ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ଏହା ହେଉଛି ପ୍ରଥମ ବଡ ନୀତିଗତ ନିଷ୍ପତ୍ତି । ଏହିପରି ଭାବେ ନୂଆ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ସୁଧାର ଭାବେ ସନ୍ଦେଶ ଦେବାକୁ ଚେଷ୍ଟା କରିଛନ୍ତି । ଏହାର ଉଦ୍ଦେଶ୍ୟ ସମ୍ବେଦନଶୀଳ ସାର୍ବଜନୀନ ସ୍ଥାନରେ ମଦ ଦୋକାନକୁ ନେଇ ହେଉଥିବା ଚିନ୍ତାକୁ ଦୂର କରିବା ।
୨୦୦ ୟୁନିଟ୍ ମାଗଣା ବିଜୁଳିକୁ ମଞ୍ଜୁରୀ
ଅଭିନେତାରୁ ନେତା ପାଲଟିଥିବା ୫୧ ବର୍ଷୀୟ ବିଜୟ ରବିବାର ଦିନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଦଳ, ‘ତାମିଲଗା ଭେଟ୍ରି କାଝାଗାମ’ (TVK) ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିବା ସହ ରାଜ୍ୟର ସବୁଠାରୁ ବଡ଼ ଦଳ ଭାବେ ନିଜର ପରିଚୟ ସୃଷ୍ଟି କରିଛି। ଯଦିଓ ଦଳକୁ ବହୁମତଠାରୁ କିଛି କମ୍ ସିଟ୍ ମିଳିଥିଲା, ତଥାପି କଂଗ୍ରେସ, ବାମପନ୍ଥୀ ଦଳ, VCK ଏବଂ ମୁସଲିମ ଲିଗ୍ର ସମର୍ଥନରେ TVK ଇତିହାସରେ ପ୍ରଥମ ଥର ପାଇଁ ଏକ ମେଣ୍ଟ ସରକାର ଗଠନ କରିଛି।