ଆସାମର ରାଜନୀତିରେ ପୁଣି ଥରେ ଇତିହାସ ରଚିଛନ୍ତି ହେମନ୍ତ ବିଶ୍ୱ ଶର୍ମା। ଆଜି ଦ୍ୱିତୀୟ ଥର ପାଇଁ ସେ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହା ସହ ଆସାମରେ ଲଗାତାର ତୃତୀୟ ଥର ପାଇଁ ବିଜେପି ନେତୃତ୍ୱାଧୀନ NDA ସରକାର ଗଠନ ହୋଇଛି। ଗୁୱାହାଟିର ଖାନାପଡ଼ା ଭେଟେରେନାରୀ କଲେଜ ଗ୍ରାଉଣ୍ଡରେ ସକାଳ ୧୧ଟା ୪୦ରେ ଏହି ଭବ୍ୟ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି। ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଦେଶର ଶୀର୍ଷ ନେତାମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ହିମନ୍ତ ବିଶ୍ୱଶର୍ମାଙ୍କୁ ପାଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ନୂଆ ମନ୍ତ୍ରିମଣ୍ଡଳର ଚାରିଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛି, ଯେଉଁଥିରେ NDA ମେଣ୍ଟର ସହଯୋଗୀ ଦଳ AGP ଓ BPFର ପ୍ରତିନିଧିମାନେ ମଧ୍ୟ ଅଛନ୍ତି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ସହିତ NDAର ଅନେକ ମୁଖ୍ୟମନ୍ତ୍ରୀ ଓ ଶୀର୍ଷ ନେତା ଉପସ୍ଥିତ ଅଛନ୍ତି।
୨୦୨୧ରେ ପ୍ରଥମେ ମୁଖ୍ୟମନ୍ତ୍ରୀ ହୋଇଥିବା ହିମନ୍ତ ବିଶ୍ୱଶର୍ମା ଏବେ ଆସାମର ପ୍ରଥମ ଅକଂଗ୍ରେସ ନେତା ଭାବେ ଲଗାତାର ଦୁଇ ଥର ମୁଖ୍ୟମନ୍ତ୍ରୀ ପଦ ହାସଲ କରିଛନ୍ତି। ନିକଟତମ ବିଧାନସଭା ନିର୍ବାଚନରେ NDA ଜୋଟ ୧୨୬ଟି ଆସନ ମଧ୍ୟରୁ ଐତିହାସିକ ୧୦୨ଟି ଆସନ ଜିତି ଭାରି ବିଜୟ ହାସଲ କରିଥିଲା। BJP ଏକାକୀ ୮୨ଟି ଆସନ ଜିତି ଆସାମରେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ ପୂର୍ଣ୍ଣ ଅଧିକାର ହାସଲ କରିଛି।
ଆସାମରେ ଲଗାତାର ତୃତୀୟ ଥର ପାଇଁ BJP ନେତୃତ୍ୱାଧୀନ NDA ସରକାର ଗଠନ ହେବା ଦଳ ପାଇଁ ବଡ଼ ସଫଳତା ଭାବେ ଦେଖାଯାଉଛି। ହିମନ୍ତଙ୍କ ନେତୃତ୍ୱରେ ଗତ କିଛି ବର୍ଷ ଧରି ଆସାମରେ ଭିତ୍ତିଭୂମି ବିକାଶ, ଶାନ୍ତି-ଶୃଙ୍ଖଳା ଓ ନିବେଶ ଆକର୍ଷଣ ମାମଲାରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାରଣରୁ ଜନତା ପୁଣିଥରେ ତାଙ୍କ ଉପରେ ଭରସା ରଖିଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି।
ତେବେ ଶପଥ ଗ୍ରହଣ ପରେ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, “ଆସାମକୁ ଦେଶର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ଆମ ସରକାରର ପ୍ରଥମ ଲକ୍ଷ୍ୟ। ଲୋକଙ୍କ ଆଶୀର୍ବାଦ ଓ ସହଯୋଗ ସହ ଆମେ ଆହୁରି ବେଗରେ ବିକାଶର ଯାତ୍ରା ଆଗେଇ ନେବୁ।” ଆସାମର ରାଜନୀତିରେ ଏହି ଶପଥ ଗ୍ରହଣ କେବଳ ଏକ ସରକାର ଗଠନ ନୁହେଁ, ବରଂ NDA ଶକ୍ତିର ଆଉ ଏକ ବଡ଼ ପ୍ରଦର୍ଶନ ବୋଲି ଚର୍ଚ୍ଚା ହେଉଛି।