ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ରୋମାଞ୍ଚକର ମୋଡ଼ ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇ ବିଧାନସଭାକୁ ଆସିଥିବା 'ତାମିଲଗା ଭେଟ୍ରି କାଝାଗାମ' ( ଟିଭିକେ) ବିଧାୟକ ଆର. ଶ୍ରୀନିବାସ ସେତୁପତିଙ୍କୁ ମାଡ୍ରାସ ହାଇକୋର୍ଟ ଏକ ଶକ୍ତ ଧକ୍କା ଦେଇଛନ୍ତି। ତିରୁପତ୍ତୁର ଆସନରୁ ନିର୍ବାଚିତ ହୋଇଥିବା ସେତୁପତିଙ୍କୁ ଆସନ୍ତା ମଙ୍ଗଳବାର ଠାରୁ ବିଧାନସଭା କାର୍ଯ୍ୟଧାରାରେ ଭାଗ ନେବାକୁ କୋର୍ଟ ବାରଣ କରିଛନ୍ତି।
ତିରୁପତ୍ତୁର ବିଧାନସଭା ଆସନରେ ଅନୁଷ୍ଠିତ ନିର୍ବାଚନରେ ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପତି ଏବଂ ଡିଏମକେ ପ୍ରାର୍ଥୀ କେଆର ପେରିୟାକରୁପ୍ପନଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ସେତୁପତିଙ୍କୁ ୮୩,୩୬୫ ଭୋଟ୍ ମିଳିଥିବା ବେଳେ ପେରିୟାକରୁପ୍ପନଙ୍କୁ ୮୩,୩୬୪ ଭୋଟ୍ ମିଳିଥିଲା। ଅର୍ଥାତ ମାତ୍ର ୧ ଭୋଟ୍ ବ୍ୟବଧାନରେ ସେତୁପତି ବିଜୟୀ ହୋଇଥିଲେ। ଏହି ସାମାନ୍ୟ ବ୍ୟବଧାନକୁ ନେଇ ପରାଜିତ ପ୍ରାର୍ଥୀ ଅସନ୍ତୋଷ ପ୍ରକାଶ କରିବା ସହ ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ଥିବା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ପୋଷ୍ଟାଲ ବାଲଟରେ ଗଡ଼ବଡ଼ ଅଭିଯୋଗ
ଡିଏମକେ ନେତା ପେରିୟାକରୁପ୍ପନ ନିଜ ଆବେଦନରେ ଦର୍ଶାଇଛନ୍ତି ଯେ, ଗଣତି ସମୟରେ ପୋଷ୍ଟାଲ ବାଲଟରେ ଜାଲିଆତି କରାଯାଇଛି। ତାଙ୍କ ଅଭିଯୋଗ ଅନୁଯାୟୀ, ତିରୁପତ୍ତୁର ବିଧାନସଭା କ୍ଷେତ୍ର ସଂଖ୍ୟା-୧୮୫ ପାଇଁ ଉଦ୍ଦିଷ୍ଟ ଏକ ଭୋଟ୍କୁ ଭୁଲ ଭାବେ ଭେଲୋର ଜିଲ୍ଲାର ତିରୁପତ୍ତୁର ନିର୍ବାଚନ ମଣ୍ଡଳୀ (ସଂଖ୍ୟା-୫୦) ରେ ଯୋଡ଼ି ଦିଆଯାଇଥିଲା। ଏହି ଗୋଟିଏ ଭୋଟ୍ ହିଁ ହାର୍-ଜିତ୍ର ନିଷ୍ପତ୍ତି ବଦଳାଇ ଦେଇଛି। ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ସେ କୋର୍ଟଙ୍କୁ ନ୍ୟାୟ ପ୍ରାର୍ଥନା କରିଛନ୍ତି।
ହାଇକୋର୍ଟଙ୍କ ନିର୍ଦ୍ଦେଶ
ଜଷ୍ଟିସ ଭିକ୍ଟୋରିଆ ଗୌରୀ ଏବଂ ଜଷ୍ଟିସ ସେନ୍ଥିଲକୁମାରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ଏହି ଅଭିଯୋଗରେ ସତ୍ୟତା ଥିବା ପରି ମନେହେଉଛି। ତେଣୁ ସେତୁପତିଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଗୃହର କୌଣସି କାର୍ଯ୍ୟଧାରା କିମ୍ବା ବିଶ୍ୱାସ ଭୋଟ୍ରେ ସାମିଲ ହେବାକୁ କୋର୍ଟ ବାରଣ କରିଛନ୍ତି।
ନିର୍ବାଚନ କମିଶନଙ୍କ ପକ୍ଷ
ଅନ୍ୟପକ୍ଷରେ ନିର୍ବାଚନ କମିଶନ କୋର୍ଟରେ ନିଜର ପକ୍ଷ ରଖି କହିଛନ୍ତି ଯେ, ଫଳାଫଳ ଘୋଷଣା ପରେ ଏହି ମାମଲା କେବଳ ନିର୍ବାଚନ ଆବେଦନ ଜରିଆରେ ଶୁଣାଣି ହୋଇପାରିବ। କୌଣସି ପୋଷ୍ଟାଲ ବାଲଟ ଅନ୍ୟ କ୍ଷେତ୍ରକୁ ସ୍ଥାନାନ୍ତରିତ ହୋଇନାହିଁ ବୋଲି କମିଶନ ଦାବି କରିଥିଲେ।